୧୫ରୁ ୧୮ ବର୍ଷ ବୟସ୍କ ପିଲାଙ୍କୁ ଚାଲିଛି ଟୀକାକରଣ

୧୫ରୁ ୧୮ ବର୍ଷ ବୟସ୍କ ପିଲାଙ୍କୁ ଚାଲିଛି ଟୀକାକରଣ

ଆଜିଠାରୁ ରାଜ୍ୟରେ ଆରମ୍ଭ ହୋଇଛି ୧୫ରୁ ୧୮ ବର୍ଷ ବୟସ୍କ ପିଲାଙ୍କ ଟୀକାକରଣ । ବିଭିନ୍ନ ହସ୍ପିଟାଲରେ ଟିକା ନେଉଛନ୍ତି ୧୫ରୁ ୧୮ ବର୍ଷ ବୟସ୍କ ପିଲା । ଜାନୁଆରୀ ୧ ତାରିଖରୁ ପଞ୍ଜିକରଣ ଆରମ୍ଭ ହୋଇଥିବା ବେଳେ ଆଜିଠୁ ବିଭିନ୍ନ କେନ୍ଦ୍ରରେ ବିଧିବଦ୍ଧ ଭାବେ ଟିକା ଦିଆଯାଉଛି । ସକାଳୁ ମଧ୍ୟାହ୍ନ ସୁଦ୍ଧା ୧୮୮୨ ଜଣ ପିଲା ଟୀକା ନେଇ ସାରିଥିବାର ସୂଚନା ମିଳିଛି । ମୋଟ ୨୬ ଶହ କେନ୍ଦ୍ରରେ ଟିକାକରଣ କରାଯାଉଛି । ରାଜ୍ୟର ମୋଟ ୨୩ ଲକ୍ଷ ୬୫ ହଜାର କିଶୋରଙ୍କୁ ଟିକା ଦିଆଯିବ । ପ୍ରଥମ ଡୋଜ୍ ନେବାର ୨୮ରୁ ୪୨ ଦିନ ମଧ୍ୟରେ ଦ୍ବିତୀୟ ଡୋଜ ଦିଆଯିବ । କରୋନାରେ ପୀଡ଼ିତ ଛାତ୍ରଛାତ୍ରୀ ସୁସ୍ଥ ହେବାର ୩ ମାସ ପରେ ଟିକା ନେଇପାରିବେ । ପ୍ରତି ଟୀକାକେନ୍ଦ୍ରରେ ୨୫୦ ଜଣଙ୍କୁ ଭ୍ୟାକ୍ସିନ୍ ଦେବାର ବ୍ୟବସ୍ଥା କରାଯାଇଛି । ପ୍ରତି ସ୍କୁଲ ମଧ୍ୟ ୧୫ରୁ ୧୮ ବର୍ଷ ପିଲାଙ୍କ ଏକ ତାଲିକା ପ୍ରସ୍ତୁତ କରିବେ । ଯେଉଁ ସ୍କୁଲ ଭିତ୍ତିଭୂମି ଠିକ ଅଛି କିମ୍ବା ପରୀକ୍ଷା ନାହିଁ ସେହି ସ୍କୁଲରେ ଟୀକାକରଣ କେନ୍ଦ୍ର କରିପାରିବେ । ଆଜି ବି ବହୁ ସ୍କୁଲରେ ଟୀକାକରଣ କେନ୍ଦ୍ର କରାଯାଇଛି । ସେପଟେ ରାଜ୍ୟରେ ସଂକ୍ରମଣ ବଢିବା ଚିନ୍ତାଜନକ ବିଷୟ ହୋଇଛି । ଓମିକ୍ରନର ସଂକ୍ରମଣ କ୍ଷମତା ଅଧିକ ଥିବାରୁ ବଢିଛି ଚିନ୍ତା । ବିଦେଶ ଫେରନ୍ତାଙ୍କର ଟେଷ୍ଟ କରାଯାଉଛି । ପଜିଟିଭ ଚିହ୍ନଟ ହେଲେ ଜିନମ ସିକ୍ବେନ୍ସିଂ ହେଉଛି । ଗତକାଲି ରାଜ୍ୟରୁ ୨୩ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୯ ଜଣ ଲକ୍ଷଣ ବିହୀନ ଥିଲେ । ୨୩ ଜଣଙ୍କର ବିଦେଶ ଲିଙ୍କ ନାହିଁ । ତେଣୁ ସ୍ଥାନୀୟ ସଂକ୍ରମଣ ହେଉଥିବା କହିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ତେବେ ସେମାନଙ୍କ ମଧ୍ୟରୁ କେହି ଗୁରୁତର ନଥିବା ଭଲ ଖବର ବୋଲି ସେ କହିଛନ୍ତି । ଟେଷ୍ଟିଂ ,ସର୍ଭିଲାନ୍ସ ଉପରେ ଗୁରୁତ୍ଵ ଦିଆଯାଉଛି । ତେଣୁ ଗହଳି ନ କରିବା ସହ କୋଭିଡ ନିୟମ ମାନିବାକୁ ସ୍ବାସ୍ଥ୍ୟ ବିଭାଗ ପରାମର୍ଶ ଦେଇଛି । ସରକାର ସବୁ ବିଭାଗରୁ ତଥ୍ୟ ନେଉଛନ୍ତି । ଜିଲ୍ଲା ପ୍ରଶାସନକୁ ବି କ୍ଷମତା ଦିଆଯାଇଛି । ଯେଉଁ ଜିଲ୍ଲାରେ ସଂକ୍ରମଣ ବଢିବ ସ୍ଥାନୀୟ ପ୍ରଶାସନ କଟକଣା କରିପାରିବେ ବୋଲି ସେ କହିଛନ୍ତି ।