ଯୌତୁକ ଜୁଇରେ ଜଳିଗଲେ ଜଣେ ନବବଧୂ

ବିବାହକୁ ପୁରିଛି ମାତ୍ର ୪ ମାସ । ସୁନେଲି ସଂସାରର ସ୍ୱପ୍ନକୁ ମନରେ ନେଇ ବାପ ଘରୁ ଶାଶୁ ଘର ଆସିଥିଲେ ନବବଧୂ ରାଜଲକ୍ଷ୍ମୀ। ହେଲେ ଧୂଳିସାତ ହୋଇଗଲା ଆଶା। ଭାଙ୍ଗିଗଲା ସ୍ବପ୍ନର ତାଜମହଲ।
ପାଦରୁ ଅଳତା ଲିଭି ନ ଥିବା ବେଳେ ଯୌତୁକ ଜୁଇରେ ଜଳିଗଲା ରାଉରକେଲାର ଛେଣ୍ଡ ଥାନା ଅନ୍ତର୍ଗତ ପ୍ରଧାନପାଲିରେ ରାଜଲକ୍ଷ୍ମୀ ଦେବତା।
ସୂଚନୁସାରେ, ଗତ ସୋମବାର ସନ୍ଧ୍ୟାରେ ତାଙ୍କର ମୃତ ଶରୀର ଝୁଲନ୍ତା ଅବସ୍ଥାରେ ଶାଶୁ ଘରୁ ଉଦ୍ଧାର କରାଯାଇଛି। ଯୌତୁକ ଜନିତ ଅକଥନୀୟ ନିର୍ଯାତନା ଦେବା ସହ ଶାଶୁ ଘର ଲୋକେ ତାଙ୍କୁ ହତ୍ୟା କରିଥିବା କହିଛନ୍ତି ରାଜଲଷ୍ମୀଙ୍କ ବଡ ଭଉଣୀ ।
ପ୍ରାୟ ଚାରିମାସ ପୂର୍ବରୁ ବାଲୁ ଘାଟ ଅଞ୍ଚଳର କାଳନ୍ଦୀ ସାହୁଙ୍କ ଝିଅ ରାଜଲଷ୍ମୀ ପ୍ରଧାନ ପାଲିର ହେମନ୍ତ ଦେବତାଙ୍କ ପୁଅ ସନ୍ଦୀପଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ।
ଅଭିଯୋଗ ଅନୁଯାୟୀ, ବିବାହ ସମୟରେ ରାଜଲକ୍ଷ୍ମୀଙ୍କ ଶ୍ବଶୁର ଘର ଲୋକଙ୍କ ଦାବି ମୁତାବକ ୩ଲକ୍ଷ ଟଙ୍କା ଏବଂ ଗହଣା ସହ ଅନ୍ୟାନ୍ୟ ସାମଗ୍ରୀ ଦିଆ ଯାଇଥିଲା । କିନ୍ତୁ ବିବାହର କିଛିଦିନ ପରେ ଅଧିକ ଯୌତୁକ ଦାବି ସହ ରାଜଲଷ୍ମୀଙ୍କୁ ମାନସିକ ନିର୍ଯାତନା ଦିଆଯାଇଥିବା ନେଇ ଛେଣ୍ଡ ଥାନାରେ ଅଭିଯୋଗ ହୋଇଥିଲା ।
ଅନ୍ୟପଟେ, ରାଜଲକ୍ଷ୍ମୀଙ୍କୁ ହତ୍ୟା କରାଯାଇଛି, ତା ସେ ଆତ୍ମହତ୍ୟା କରିଛନ୍ତି ତାହା ଅନୁସନ୍ଧାନ ପରେ ଜଣା ପଡିବ ବୋଲି ପୋଲିସ ସୂଚନା ଦେଇଛି ।
Comments (0)