ଗୌହାଟୀରେ ୪.୧ ତୀବ୍ରତା ଭୂମିକମ୍ପ ଅନୁଭୂତ

ଗୌହାଟୀରେ ୪.୧ ତୀବ୍ରତା ଭୂମିକମ୍ପ ଅନୁଭୂତ

ଆସାମ ରାଜଧାନୀ ଗୌହାଟୀରେ ଆଜି ମୃଦୁ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି। ଦିନ ୧ଟା ବେଳେ ଅନୁଭୂତ ଭୂ-କମ୍ପନର ତୀବ୍ରତା ରିକ୍ଟର ସ୍କେଲରେ ୪.୧ ରହିଥିବା ଜଣାପଡିଛି। ନ୍ୟାସନାଲ ସେଣ୍ଟର ଫର ସିସମୋଲଜି ଭୂମିକମ୍ପ ତୀବ୍ରତା ବିଷୟରେ ସୂଚନା ଦେଇଛନ୍ତି। ତେବେ ଭୂମିକମ୍ପ ଯୋଗୁ କୌଣସି ଧନଜୀବନ ନଷ୍ଟ ହୋଇ ନାହିଁ। ଏହି ଭୂମିକମ୍ପର ଉତ୍ପତି ସ୍ଥଳ କାମରୂପ ଜିଲ୍ଲାରେ ରହିଥିବାର ଜଣାପଡିଛି।

ଭୂ-ପୃଷ୍ଠରୁ ୧୦ କିଲୋମିଟର ଗଭୀରତାରେ ଭୂମିକମ୍ପ ସୃଷ୍ଟି ହୋଇଥିଲା। ଏଣୁ କାମରୂପ ଜିଲ୍ଲା ସମେତ ରାଜଧାନୀ ଗୌହାଟୀ ପର୍ଯ୍ୟନ୍ତ କମ୍ପନ ଅନୁଭୂତ ହୋଇଛି। ପ୍ରଭାବିତ ଅଞ୍ଚଳର କେତେକ ସ୍ଥାନରେ ଘରମାନଙ୍କ କାନ୍ଥରେ ଫାଟ ସୃଷ୍ଟି ହୋଇଥିବା ଜଣାପଡିଛି। ଏହା ପୂର୍ବରୁ ଗତ ଏପ୍ରିଲ ମାସରେ ମଧ୍ୟ ଏଠାରେ ଭୂମିକମ୍ପ ଅନୁଭୂତ ହୋଇଥିଲା। ସେତେବେଳେ କମ୍ପନର ତୀବ୍ରତା ରିକ୍ଟର ସ୍କେଲରେ ୬.୪ ଥିଲା। ସେହିପରି ଶୁକ୍ରବାର ବିଲମ୍ବିତ ରାତ୍ରିରେ ହିମାଚଳ ପ୍ରଦେଶ ମଣ୍ଡି ଜିଲ୍ଲାରେ ମଧ୍ୟ ଭୂମିକମ୍ପ ହୋଇଥିବାର ସୂଚନା ମିଳିଛି। ଏଠାରେ କମ୍ପନର ତୀବ୍ରତା ୩.୪ ଥିଲା।