ଇଡି ସ୍କାନରରେ ମାଲାୟଲମ ଷ୍ଟାର୍ ମୋହନଲାଲ୍; ଆର୍ଥିକ ହେର୍ଫେର୍ ମାମଲାରେ ହାଜର ହେବାକୁ ନୋଟିସ୍
ନୂଆଦିଲ୍ଲୀ: ଇଡି ସ୍କାନରରେ ମାଲାୟଲମ ଷ୍ଟାର୍। ଅଭିନେତା, ପ୍ରଯୋଜନକ ତଥା ପ୍ଲେବ୍ୟାକ୍ ସିଙ୍ଗର ମୋହନଲାଲ୍ଙ୍କୁ ମନି ଲଣ୍ଡରିଂ ମାମଲାରେ ପଚାରଉଚରା କରିବ ଇଡି। ଏନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ତାଙ୍କୁ ସମନ କରାଯାଇଛି। ଆସନ୍ତା ସପ୍ତାହରେ କୋଚି ସ୍ଥିତି ଇଡି ଅଫିସ୍ରେ ହାଜର ହେବାକୁ ଇଡି ନୋଟିସ୍ କରିଛି। ପୁରୁଣା ଓ ଐତିହାସିକ ଦୁର୍ଲଭ ସାମଗ୍ରୀଗୁଡ଼ିକୁ ଜାଲିୟାତି କରି ଚାଲାଣ କରୁଥିବା ଠକ ମନସୁନ ମାଭୁଙ୍କଲ ସହିତ ଲିଙ୍କ୍ ନେଇ ଇଡି ପଚରାଉଚରା କରିପାରେ ବୋଲି ସୂଚନା ମିଳିଛି।
ଲୋକଙ୍କୁ ଠକି ୧୦ କୋଟି ଟଙ୍କାର ଚୂନ ଲଗାଇବା ଅଭିଯୋଗରେ ଗତବର୍ଷ ସେପ୍ଟେମ୍ବର ମାସରେ ମନସୁନକୁ ଗିରଫ କରିଥିଲା କେରଳ ପୁଲିସ। ତା ପୂର୍ବରୁ ମୋହନଲାଲ୍ ମନସୁନର କେରଳ ସ୍ଥିତି ବାସଭବନକୁ ଯାଇଥିବା ସୂଚନା ମିଳିଛି। ଯଦିଓ ସେ ମନସୁନ ଘରକୁ କାହିଁକି ଯାଇଥିଲେ ସେ ନେଇ ସ୍ପଷ୍ଟ ସୂଚନା ମିଳିନି, ତେବେ ସନ୍ଦେହରେ ତାଙ୍କୁ ଘଟଣା ସମ୍ପର୍କରେ ପଚରାଉଚରା କରାଯାଇପାରେ ବୋଲି ସୂଚନା ମିଳିଛି।
ନକଲି ପୁରୁଣା ବହୁମୂଲ୍ୟ କଳାକୃତି ଜାଲିୟାତି କରି ଲୋକଙ୍କୁ କୋଟି କୋଟି ଟଙ୍କାର ଚୂନ ଲଗାଇଛି ୫୨ ବର୍ଷୀୟ ଠକ ୟୁଟ୍ୟୁବର ମନସୁନ ମାଭୁଙ୍କଲ। ଏହି ଅଭିଯୋଗରେ କେରଳ ପୁଲିସ ଅଲାପ୍ପୁଝା ଜିଲ୍ଲାରୁ ତାକୁ ଗିରଫ କରିଥିଲା। କେରଳ ପୁଲିସର ସୂଚନା ଅନୁସାରେ, ଅନେକ ବର୍ଷ ହେବ ମାଭୁଙ୍କଲ ନିଜକୁ କଳାକୃତି ଓ ଅବଶେଷର ସଂଗ୍ରାହକ କହି ଲୋକଙ୍କୁ ଠକିଆସୁଥିଲା।
ମାଭୁଙ୍କଲ ଟିପୁ ସୁଲ୍ତାନଙ୍କ ଗାଦି, ଧର୍ମଗୁରୁ ମୋସେସ୍ଙ୍କ ବାଡ଼ି, ଔରଙ୍ଗଜେବ୍ର ମୁଦି, ଛତ୍ରପତି ଶିବାଜୀଙ୍କ ଭଗବତ ଗୀତା କପି, ପର୍ତୁଗୀଜ ପୂଜାରୀ ଏସ୍ଟି ଅଣ୍ଟୋନିଙ୍କ ଆଙ୍ଗୁଲି ନଖ ଏବଂ ଅନ୍ୟ ଆଇଟମ୍ ତାଙ୍କ ପାଖରେ ରହିଥିଲା ବୋଲି ସେ ଦାବି କରୁଥିଲା। ହେଲେ ପରେ ତଦନ୍ତରେ ଏହା ସବୁ ମିଛକଥା ବୋଲି ଜଣାପଡ଼ିଥିବା କେରଳ ପୁଲିସ ସୂଚନା ଦେଇଛି।
Comments (0)