ଆସନ୍ତା ମଙ୍ଗଳବାର ଭାରତ ବନ୍ଦ ଡାକରା ଦେଲେ ଆନ୍ଦୋଳନରତ କୃଷକ

ଆସନ୍ତା ମଙ୍ଗଳବାର ଭାରତ ବନ୍ଦ ଡାକରା ଦେଲେ ଆନ୍ଦୋଳନରତ କୃଷକ

କେନ୍ଦ୍ର ସରକାରଙ୍କ ନୃତନ କୃଷି ବିଲ୍‌କୁ ବିରୋଧ କରି ଦିଲ୍ଲୀ ସୀମାରେ ଏକତ୍ର ହୋଇଛନ୍ତି ପଞ୍ଜାବ ଓ ହରିଆଣାର ହଜାର ହଜାର କୃଷକ । ପ୍ରବଳ ଶୀତ କାକରରେ ଆନ୍ଦୋଳନ ଜାରି ରଖି କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ରଣହୁଙ୍କାର ଡାକ ଦେଇଛନ୍ତି । କୃଷକମାନଙ୍କର ଏହି ଆନ୍ଦୋଳନକୁ କିଛି ରାଜନୈତିକ ଦଳମାନଙ୍କର ପ୍ରତ୍ୟକ୍ଷ ସମର୍ଥନ ମିଳିବାରେ ଲାଗିଛି । ତେବେ ସମାଧାନର ରାସ୍ତା ବାହାର କରିବା ପାଇଁ ଚାଷୀ ନେତା ଓ ସରକାରଙ୍କ ମଧ୍ୟରେ ଏଯାବତ୍‌ ୪ଥର ବୈଠକ ବସିସାରିଥିଲେ ମଧ୍ୟ କିଛି ନିଷ୍କର୍ଷ ବାହାରି ପାରୁନାହିଁ । ବିଶେଷ କରି ସର୍ବନିମ୍ନ ସହାୟକ ରାଶିକୁ ଆଇନସିଦ୍ଧ କରିବା ସପକ୍ଷରେ ଦାବି କରିବା ସହିତ ବିଲ୍‌ରେ ଥିବା କଣ୍ଟାକ୍ଟ ଫାର୍ମିଂକୁ ପ୍ରବଳ ବିରୋଧ କରୁଛନ୍ତି ଆନ୍ଦୋଳନରତ କୃଷକ ।  ଚାଷୀଙ୍କର ଏହି ବିରାଟ ଆନ୍ଦୋଳନକୁ ଦେଶର କିଛି ସ୍ୱନାମଧନ୍ୟ ଖେଳାଳୀ ଓ ଲେଖକମାନେ ସମର୍ଥନ କରି ସେମାନଙ୍କର ପୁରସ୍କାର ଫେରସ୍ତ କରୁଥିବାର ଲକ୍ଷ୍ୟ କରାଯାଉଛି । ତେବେ ଏସବୁ ଭିତରେ ଆସନ୍ତା ଡିସେମ୍ୱର ୮ତାରିଖ ଅର୍ଥାତ୍‌ ମଙ୍ଗଳବାର ଦିନ ଆନ୍ଦୋଳନରତ କୃଷକମାନେ ଭାରତ ବନ୍ଦ ଡାକରା ଦେଇଥିବାର ଜଣାପଡ଼ିଛି ।