କ୍ରିକେଟକୁ ଅଲବିଦା କହିଲେ ହରଭଜନ ସିଂହ

କ୍ରିକେଟକୁ ଅଲବିଦା କହିଲେ ହରଭଜନ ସିଂହ

କ୍ରିକେଟରୁ ସନ୍ୟାସ ନେଲେ ହରଭଜନ ସିଂହ। ୨୩ ବର୍ଷର ଲମ୍ବା କ୍ରିକେଟ କ୍ୟାରିୟର ପରେ ସେ ଆଜି ଅବସର ଘୋଷଣା କରିଛନ୍ତି। କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେଇଛନ୍ତି ହରଭଜନ । କ୍ରିକେଟରୁ ଅବସର ନେଇ ନିଜେ ଟ୍ବିଟରରେ ସୂଚନା ଦେଇଛନ୍ତି ହରଭଜନ। ୪୧ ବର୍ଷୀୟ ହରଭଜନ ସିଂହ ଟ୍ବିଟ୍‌ କରି ଲେଖିଛନ୍ତି, ‘ସବୁ ଭଲର ଦିନେ ନା ଦିନେ ଅନ୍ତ ହୋଇଥାଏ । ଆଜି ମୁଁ ସେହି ଖେଳରୁ ବିଦାୟ ନେଉଛି ଯାହାକି ଜୀବନରେ ମୋତେ ସବୁକିଛି ଦେଇଛି । ମୁଁ ସେ ସମସ୍ତଙ୍କୁ ଧନ୍ୟବାଦ ଦେଉଛି ଯେଉଁମାନେ ଏହି ୨୩ ବର୍ଷ ମଧ୍ୟରେ ମୋର ଲମ୍ବା ଯାତ୍ରାକୁ ସୁନ୍ଦର ଏବଂ ସ୍ମରଣୀୟ କରିଛନ୍ତି । ସମସ୍ତଙ୍କୁ ହୃଦୟରୁ ଧନ୍ୟବାଦ ।’ ବିଶ୍ବ କ୍ରିକେଟରେ ହରଭଜନ ସିଂହ ଥିଲେ ଜଣେ ବିଚକ୍ଷଣ ପ୍ରତିଭା । ୨୦୧୧ ବିଶ୍ୱକପ ଓ ୨୦୦୭ T-୨୦ ବିଜୟରେ ଭାରତୀୟ ଦଳ ସହ ରହିଥିଲେ। ୧୯୯୮ ମସିହା ଏପ୍ରିଲ ୧୭ ତାରିଖରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଦିନିକିଆ ମ୍ୟାଚ ଖେଳି ଡେବ୍ୟୁ କରିଥିଲେ ସେ । ଏହା ପରେ ଆରମ୍ଭ ହୋଇଥିଲା ତାଙ୍କ ସଫଳତାର ଗୋଟିଏ ପରେ ଗୋଟିଏ ସୋପାନ । ୨୦୦୦ ମସିହାରୁ ୨୦୧୦ ମସିହା ଯାଏଁ ହରଭଜନ ଏବଂ ଅନିଲ କୁମ୍ବଲେ ଯୋଡି ଭାରତୀୟ କ୍ରିକେଟକୁ ବେଶ୍‌ ସଫଳତା ଦେଇଥିଲା । ଭାରତ ପାଇଁ ୨୦୧୬ ମସିହାରେ ଶେଷ ମ୍ୟାଚ ଖେଳିଥିଲେ ହରଭଜନ । ୨୦୧୬ରେ ୟୁଏଇ ବିପକ୍ଷରେ ଏସିଆ କପ ଟ୍ବେଣ୍ଟି ଟ୍ବେଣ୍ଟି ମ୍ୟାଚ ଥିଲା ଟର୍ବିନେଟର୍‌ଙ୍କ ଶେଷ ମ୍ୟାଚ୍ । ତେବେ ତାଙ୍କର ଅବସର ନେବା ଘୋଷଣା ତାଙ୍କ ପ୍ରଶଂସକଙ୍କୁ ନିହାତି ଭାବେ ଦୁଃଖୀ କରିଛି। ସେ କ୍ୟାରିୟରରେ ଯେମିତି ସଫଳ ବ୍ୟକ୍ତିଗତ ଭାବେ ମଧ୍ୟ ମେଳାପି।