ଭାରତରୁ ଗହମ ରପ୍ତାନି ଉପରେ ଲାଗିଲା ରୋକ୍

ଭାରତରୁ ଗହମ ରପ୍ତାନି ଉପରେ ଲାଗିଲା ରୋକ୍

ବିଭିନ୍ନ ଦେଶରେ ଏବେ ଖାଦ୍ୟ ସଙ୍କଟ ଦେଖା ଯାଉଥିବା ବେଳେ ଭାରତ ସରକାର ନେଇଛନ୍ତି ଏକ ବଡ଼ ପଦକ୍ଷେପ। ଖାଦ୍ୟ ସୁରକ୍ଷା ଦୃଷ୍ଟିରୁ ଗହମ ରପ୍ତାନୀ ଉପରେ ରୋକ ଲଗାଇଛନ୍ତି କେନ୍ଦ୍ର ସରକାର। ଏହି ରୋକ୍‌କୁ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଶୁକ୍ରବାର ମଧ୍ୟ ରାତ୍ରରୁ ଜାରି ହୋଇଥିବା ଅଧିସୂଚନାରେ ବିଶ୍ୱର ଦ୍ୱିତୀୟ ବୃହତ୍‌ ଗହମ ଉତ୍ପାଦକ ରାଷ୍ଟ୍ର ଭାରତରୁ ଅନ୍ୟ ରାଷ୍ଟ୍ରକୁ ଗହମ ରପ୍ତାନୀ ଉପରେ ରୋକ ଲାଗିଥିବାର ଜଣାପଡ଼ିଛି । କିନ୍ତୁ ପୂର୍ବରୁ ଜାରି ହୋଇଥିବା ଲେଟର ଅଫ୍‌ କ୍ରେଡିଟ୍‌ ପାଇଁ ଗହମର ସିପ୍‌ମେଣ୍ଟକୁ ଅନୁମିତି ରହିଛି। 

ଫେବୃଆରୀ ମାସରୁ ଋଷ୍‌ ୟୁକ୍ରେନ୍‌ ମଧ୍ୟରେ ଘମାଘୋଟ ଯୁଦ୍ଧ ଲାଗିଥିବା ବେଳେ ଏହି କାରଣରୁ କୃଷ୍ଣ ସାଗର କ୍ଷେତ୍ରରେ ଆନ୍ତର୍ଜାତିକ ବାଣିଜ୍ୟ ପ୍ରଭାବିତ ହୋଇଛି । ଯାହାଫଳରେ ବିଶ୍ୱର ଗହମ ଅବଶ୍ୟକତା ପୂରଣ କରିବା ପାଇଁ ଅନ୍ୟ ରାଷ୍ଟ୍ର ଭାରତ ପହଞ୍ଚୁଛନ୍ତି । ଏହା ପୂର୍ବରୁ ବାଣିଜ୍ୟ ମନ୍ତ୍ରୀ ପିୟୁଷ ଗୋୟଲ୍‌ ୧୫ ଏପ୍ରିଲ୍‌ରେ ଏକ ଟ୍ୱିଟ୍‌ କରି କହିଥିଲେ ଭାରତୀୟ କୃଷକ ଦୁନିଆର ପେଟ ଭରୁଛନ୍ତି । ବିଶ୍ୱରେ ବଢ଼ୁଥିବା ଚାହିଦାକୁ ଦେଖିଲେ ଅର୍ଥିକ ବର୍ଷ ୨୦୨୨-୨୩ରେ ଗହମ ରପ୍ତାନୀ ୧୦ ମିଲିୟନ ଟନ୍‌ ପାର କରିଯିବ ।କିନ୍ତୁ ଏବେ ଦେଶର ସ୍ଥିତି ବଦଳିଯାଇଛି । ଏମ୍‌ଏସ୍‌ପି ଠାରୁ ଅଧିକ ଦାମ୍‌ରେ ଗହମ କିଣା ଏବଂ ଉତ୍ପାଦନ କମ୍‌ କାରଣରୁ ସରକାରୀ କ୍ଷେତ୍ରରେ କିଣା ପରିମାଣ କମିଛି। ତେଣୁ ସରକାର ଏବେ ରପ୍ତାନୀ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ।