ଭାରତକୁ ମିଳିଲା ଆଉ ଦୁଇଟି ଟିକା; କୋଭୋଭାକ୍ସ ଓ କୋରବେ ଭାକ୍ସ ସମେତ ଔଷଧ ମୋଲନୁପିରାବିରକୁ ମିଳିଲା ମଞ୍ଜୁରୀ

ଭାରତକୁ ମିଳିଲା ଆଉ ଦୁଇଟି ଟିକା; କୋଭୋଭାକ୍ସ ଓ କୋରବେ ଭାକ୍ସ ସମେତ ଔଷଧ ମୋଲନୁପିରାବିରକୁ ମିଳିଲା ମଞ୍ଜୁରୀ

କରୋନା ବିରୋଧରେ ଜାରି ଲଢେଇରେ ଭାରତକୁ ଆଉ ୩ଟି ନୂଆ ଗୁରୁତ୍ୱପୂର୍ଣ୍ଣ ଅସ୍ତ୍ର ମିଳିଯାଇଛି। ଦୁଇଟି ଭାକ୍ସିନ ଓ ଗୋଟିଏ ଆଣ୍ଟି ଭାଇରାଲ ପିଲକୁ ଜରୁରିକାଳୀନ ଉପଯୋଗ ଲାଗି ସେଣ୍ଟ୍ରାଲ ଡ୍ରଗସ୍ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ ଅର୍ଗାନାଇଜେସନ (ସିଡିଏସସିଓ)ଙ୍କ ମଞ୍ଜୁରୀ ମିଳିଯାଇଛି। ଏଥିରେ ସିରମ ଇନିଷ୍ଟିଚ୍ୟୁଟ୍ ଅଫ ଇଣ୍ଡିଆଙ୍କ ଟିକା କୋଭୋଭାକ୍ସ ଓ ବାୟୋଲଜିକାଲ-ଇ ପ୍ରସ୍ତୁତ ଟିକା କୋରବେଭାକ୍ସ ମଞ୍ଜୁରି ମିଳିଛି। ଫଳରେ ଭାରତ ଏବେ କରୋନା ମୁକାବିଲା ଲାଗି ମୋଟ ୮ଟି ଟିକା ପାଇଛି।

ଏହା ପୂର୍ବରୁ ଦେଶରେ ୬ଟି କରୋନା ଟିକାକୁ ମଞ୍ଜୁରୀ ମିଳିଥିଲା। ଏଥିରେ କୋଭାକ୍ସିନ, କୋଭିସିଲ୍ଡ,. ଜନସନ ଏଣ୍ଡ ଜନସନ, ଜାୟକୋଭ-ଡି, ମଡର୍ଣ୍ଣା ଓ ଋଷୀୟ ଟିକା ସ୍ପୁଟନିକ-ଭିକୁ ଜରୁରି ଉପଯୋଗ ଅନୁମୋଦନ ଦିଆଯାଇଥିଲା। ଏଥିରେ ଭାରତ ଡ୍ରଗ ରେଗୁଲେଟରଙ୍କ ଅନ୍ତର୍ଗତ ସବଜେକ୍ଟ ଏକ୍ସପର୍ଟ କମିଟି (ଏସଇସି) କୋଭୋଭାକ୍ସ, କୋରବେଭାକ୍ସ ଟିକା ସମେତ ମଲନୁପିରାବୀର ଔଷଧକୁ ମଧ୍ୟ ଜରୁରି ଉପଯୋଗ ନିମନ୍ତେ ମଞ୍ଜୁର କରିବା ଲାଗି ଡିସିଜିଆଇଙ୍କୁ ସୁପାରିଶ କରାଯାଇଥିଲା।

କୋଭୋଭାକ୍ସ ହେଉଛି ଆମେରିକୀୟ ଔଷଧ ନିର୍ମାତା ନୋଭୋଭାକ୍ସର ଭାରତୀୟ ସ୍ୱରୂପ। ଏହା ଏକ ନନ ପାର୍ଟିକ୍ଲ ପ୍ରୋଟିନ ଆଧାରିତ କୋଭିଡ-୧୯ ଟିକା। କରୋନା ମୁକାବିଲା ଲାଗି ଫିଲପାଇନ୍ସ ପ୍ରଥମେ ଏହି ଟିକାକୁ ଜରୁରୀ ଅନୁମୋଦନ ଦେଇଥିଲା। ଏଣୁ ଖୁବ୍ ଶୀଘ୍ର ଭାରତରେ ମଧ୍ୟ ଏହାର ଜରୁରୀ ଉପଯୋଗ ଅନୁମତି ମିଳିବ ବୋଲି ଆଶା ବଢ଼ି ଯାଇଥିଲା। ସେହିପରି ବାୟୋଲଜିକାଲ-ଇ ପ୍ରସ୍ତୁତ ଟିକା କୋର୍ବେଭାକ୍ସ ଏକ ପ୍ରୋଟିନ ଆଧାରିତ ଟିକା। ଏହି ଟିକା ନିର୍ମାଣ ଲାଗି କେନ୍ଦ୍ର ସରକାର ବାୟୋଲଜିକାଲ-ଇକୁ ୧୫ଶହ କୋଟି ଟଙ୍କା ମଧ୍ୟ ଦେଇଥିଲେ। ଏଥିରେ ବାୟୋଲଜିକାଲ-ଇକୁ ୩୦୦ ନିୟୁତ ଟିକା ପ୍ରସ୍ତୁତ କରି ସଂରକ୍ଷଣ କରି ରଖିବାକୁ କୁହାଯାଇଥିଲା।

ସେହିପରି କରୋନା ବିରୋଧରେ ବେଶ ଶକ୍ତିଶାଳୀ ବୁଝା ଯାଉଥିବା ମୋଲନୁପିରାବିର ଆଣ୍ଟି ଭାଇରାଲ ବଟିକାକୁ ଏମଏସଡି ଏଣ୍ଡ ରିଜବ୍ୟାକ୍‌ ବାୟୋଥେରାପୁଟିକ୍ସ ଚିକିତ୍ସା ନିମନ୍ତେ ପ୍ରସ୍ତୁତ କରିଛନ୍ତି। ଏହି ଔଷଧ ଆମ ଦେହରେ ଦ୍ୱିତୀୟବାର ଭୂତାଣୁ ପ୍ରବେଶକୁ ରୋକିବାରେ ସହାୟକ ହେବ ବୋଲି କୁହାଯାଇଛି। ଟିକା ଏବଂ ଔଷଧକୁ ମଞ୍ଜୁରୀ ସମ୍ପର୍କରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡା. ମନସୁଖ ମାଣ୍ଡବ୍ୟ ମଙ୍ଗଳବାର ଏକ ଟ୍ୱିଟ୍‌ ମାଧ୍ୟମରେ ସୂଚିତ କରିଛନ୍ତି। ଏଥିରେ କରୋନା ବିରୋଧରେ ଜାରି ଲଢେଇ ନିମନ୍ତେ ଆମକୁ ଆଉ ଦୁଇଟି ଅସ୍ତ୍ର ମିଳିଯାଇଥିବାର ସେ କହିଛନ୍ତି।