ପୁଲଓ୍ବାମାରେ କନଷ୍ଟେବଳଙ୍କୁ ଗୁଳି କଲେ ଆତଙ୍କବାଦୀ

ପୁଲଓ୍ବାମାରେ କନଷ୍ଟେବଳଙ୍କୁ ଗୁଳି କଲେ ଆତଙ୍କବାଦୀ

କାଶ୍ମୀର ପୁଲଓ୍ବାମା ଜିଲ୍ଲାର ଗୁଡାରୁ ଅଞ୍ଚଳରେ ଆଜି ସକାଳେ ଆତଙ୍କବାଦୀମାନେ ଜଣେ ପୋଲିସ କନଷ୍ଟେବଳଙ୍କ ଉପରେ ଆକ୍ରମଣ କରିଛନ୍ତି । ଫଳରେ କନଷ୍ଟେବଳ ଗୁରୁତର ଆହତ ହୋଇଛନ୍ତି । କନଷ୍ଟେବଳ ରିୟାଜ ଅହମ୍ମଦ ନିଜ ଘର ବାହାରେ ଠିଆହୋଇଥିବା ବେଳେ ତାଙ୍କ ଉପରେ ଆକ୍ରମଣ କରିଥିଲେ । ଆତଙ୍କବାଦୀମାନେ ହଠାତ୍ ଆସି ଘର ବାହାରେ ଠିଆ ହୋଇଥିବା ରିୟାଜଙ୍କ ଉପରେ ଗୁଳି ଚଳାଇଥିଲେ । ପୋଲିସ କନଷ୍ଟେବଳ ତଳେ ପଡିଯିବା ପରେ ଆତଙ୍କବାଦୀମାନେ ସେଠାରୁ ପଳାଇଥିଲେ । ସ୍ଥାନୀୟ ଲୋକଙ୍କ ସହାୟତାରେ ତୁରନ୍ତ ରିୟାଜଙ୍କୁ ହସ୍ପିଟାଲ ନିଆଯାଇଥିଲା । ଡାକ୍ତର କହିଛନ୍ତି ଯେ ତାଙ୍କର ଚିକିତ୍ସା ଜାରି ରହିଛି । ଏବେ ତାଙ୍କ ବିଷୟରେ କିଛି କୁହାଯାଇ ପାରିବନାହିଁ ।

ସେପଟେ ଆକ୍ରମଣ ଘଟଣା ପରେ ଏସଓଜି ଯବାନ, ସେନା ଏବଂ ସିଆରପିଏଫର ମିଳିତ ଟିମ୍ ସହ ଘଟଣସ୍ଥଳରେ ପହଞ୍ଚିଥିଲେ । ସେମାନେ ଆକ୍ରମଣକାରୀଙ୍କ ବିଷୟରେ ଛାନଭିନ୍ ଆରମ୍ଭ କରିଛନ୍ତି । 

ଉଲ୍ଲେଖଯୋଗ୍ୟ ଯେ, ଏହା ପୂର୍ବରୁ ମଙ୍ଗଳବାର ଦିନ ଆତଙ୍କବାଦୀମାନେ ବଡଗାମ୍ ଜିଲ୍ଲା ତହସିଲ କାର୍ଯ୍ୟାଳୟରେ କାର୍ଯ୍ୟରତ କାଶ୍ମୀର ହିନ୍ଦୁ ଯୁବକ ରାହୁଲ ଭଟ୍ଟଙ୍କୁ ଗୁଳି ମାରି ହତ୍ୟା କରିଥିଲେ । ଶୁକ୍ରବାର ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି । କାଶ୍ମୀର ପଣ୍ଡିତ ରାହୁଲ ଭଟ୍ଟଙ୍କ ହତ୍ୟା ବିରୋଧରେ ଜମ୍ମୁରେ ବିଜେପି ବିକ୍ଷୋଭ ପ୍ରଦର୍ଶନ କରିଛି । ଗତ ୧୨ ଘଣ୍ଟା ଭିତରେ କାଶ୍ମୀରରେ ଟାର୍ଗେଟ୍ କିଲିଂର ଏହା ଦ୍ବିତୀୟ ଘଟଣା ।