ସାମ୍ବାଦିକଙ୍କ ଗୋଡ଼ରେ ବେଡି ପକାଇ ରଖିବା ଘଟଣା:ନିଜ ଆଡୁ ରିପୋର୍ଟ କଲେ OHRC, ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିଭିନ୍ନ ଜିଲ୍ଲାର ସାମ୍ବାଦିକ

ସାମ୍ବାଦିକଙ୍କ ଗୋଡ଼ରେ ବେଡି ପକାଇ ରଖିବା ଘଟଣା:ନିଜ ଆଡୁ ରିପୋର୍ଟ କଲେ OHRC, ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିଭିନ୍ନ ଜିଲ୍ଲାର ସାମ୍ବାଦିକ

ବାଲେଶ୍ୱର ଜିଲ୍ଲା ନୀଳଗିରିରେ ଜଣେ ସାମ୍ବାଦିକଙ୍କୁ ମିଛ କେସରେ ଫସାଇ ଗିରଫ କରିବା ସହ ସେ ଅସୁସ୍ଥ ଥିବା ସମୟରେ ହସ୍ପିଟାଲରେ ବେଡ଼ି ପକାଇବା ଘଟଣାରେ ରିପୋର୍ଟ ତଲବ କରିଛନ୍ତି ରାଜ୍ୟ ମାନବାଧିକାର କମିଶନ । ୧୫ ଦିନ ଭିତରେ ରିପୋର୍ଟ ଦେବା ଲାଗି ପୂର୍ବାଞ୍ଚଳ ଆଇଜିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କମିଶନ । ଘଟଣାକୁ ବିଭିନ୍ନ ମହଲରୁ ନିନ୍ଦା କରାଯାଇଥିବା ବେଳେ ଚାରିଆଡେ ପ୍ରତିବାଦ ଆରମ୍ଭ ହୋଇଛି।

ଆଜି ହ୍ୟୁମାନ ରାଇଟ ସଂସ୍ଥାର ପ୍ରେସିଡେଣ୍ଟ ଡାକ୍ତର ଜିତେନ୍ଦ୍ର ମହାରଣା ନୀଳଗିରିରେ ପହଞ୍ଚି ଯେଉଁଠାରେ ଘଟଣା ଘଟିଛି ସେହିଠାରେ ତଦନ୍ତ କରିଛନ୍ତି। ପରେ ଥାନାରେ ମଧ୍ୟ ସେ ପହଞ୍ଚି ତଥ୍ୟ ନେଇଛନ୍ତି । ଏଭଳି ଅମାନୁଷିକ କାର୍ଯ୍ୟକୁ ସେ ସମାଲୋଚନା କରି ବା ସହ ଦରକାର ପଡ଼ିଲେ ସଂସ୍ଥା ପୋଲିସ ବିରୁଦ୍ଧରେ ମାମଲା ରୁଜୁ କରିବ ବୋଲି ସେ ଚେତାବନୀ ଦେଇଛନ୍ତି । ଅନ୍ୟ ପକ୍ଷରେ ଏହି ଘଟଣାକୁ ନେଇ ଭଦ୍ରକ ଓ ବାଲେଶ୍ୱରରେ ସାମ୍ବାଦିକଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି। ଏହି ଘଟଣା‌କୁ ନେଇ ଭଦ୍ରକରେ ସାମ୍ବାଦିକମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଆଜି ଭଦ୍ରକରେ ଓଡ଼ିଶା ୟୁନିଅନ୍‌ ଅଫ୍‌ ଜର୍ଣ୍ଣାଲିଷ୍ଟ ଓ ଜିଲ୍ଲା ସାମ୍ବାଦିକ ସଂଘର ଶତାଧିକ ସାମ୍ବାଦିକ କଳା ବ୍ୟାଜ୍‌ ପିନ୍ଧିବା ସହ ଆନ୍ଦୋଳନ କରିଛନ୍ତି ଏବଂ ଦୋଷୀଙ୍କୁ ଦଣ୍ଡ ଦେବା ପାଇଁ ଦାବି କରିଛନ୍ତି। ଏନେଇ ଏସ୍‌ପି ଚରଣ ସିଂ ମୀନାଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ସେହି ପରି ଯାଜପୁର ଓ ବାଲେଶ୍ଵର ସାମ୍ବାଦିକମାନେ ପୋଲିସର କାର୍ଯ୍ୟକୁ ନିନ୍ଦା କରିବା ସହ ଜିଲ୍ଲାପାଳଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଚିଠି ଲେଖିଛନ୍ତି।