ସମ୍ୱିତ ପାତ୍ରଙ୍କୁ କଂଗ୍ରେସ ବିଧାୟକ ମହମ୍ମଦ ମୋକିମଙ୍କ ଓକିଲ ନୋଟିସ

ସମ୍ୱିତ ପାତ୍ରଙ୍କୁ କଂଗ୍ରେସ ବିଧାୟକ ମହମ୍ମଦ ମୋକିମଙ୍କ ଓକିଲ ନୋଟିସ

ସାରା ରାଜ୍ୟରେ ଚର୍ଚ୍ଚିତ ‘ପରୀ’ ଘଟଣାରେ ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ଡା.ସମ୍ୱିତ ପାତ୍ର ଓଡ଼ିଶା କଂଗ୍ରେସ ବିଧାୟକମାନଙ୍କ ବିରୋଧରେ ଆକ୍ଷେପ କରି ସେମାନେ ଆଶ୍ଚର୍ଯ୍ୟଜନକ ଭାବରେ ଉଦ୍ଦେଶ୍ୟମୂଳକ ନିରବତା ପାଳନ କରୁଛନ୍ତି ବୋଲି କହିଥିଲେ । ଏଥିପାଇଁ ବିଜେଡି ସହିତ କିଛି ଆର୍ଥିକ ଡିଲ୍‌ ହୋଇଥିବାର ଇଙ୍ଗିତ ମଧ୍ୟ ଦେଇଥିଲେ । ତେବେ ଡା. ପାତ୍ରଙ୍କର ଏହି ବୟାନକୁ ରାଜ୍ୟ କଂଗ୍ରେସ ତରଫରୁ ଦୃଢ଼ ନିନ୍ଦା କରାଯାଇଥିଲା ଏବଂ ସର୍ବସାଧାରଣରେ ଡା. ପାତ୍ର କ୍ଷମା ପ୍ରାର୍ଥନା ନକଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମଧ୍ୟ ଚେତାବନୀ ଦିଆଯାଇଥିଲା । ତେବେ ଏହି ପ୍ରସଙ୍ଗଟି କିଛି ଦିନର ନିରବତା ପରେ ପୁଣି ଚର୍ଚ୍ଚାର ବିଷୟ ପାଲଟିଛି, କାରଣ କଟକ-ବାରବାଟୀର କଂଗ୍ରେସ ବିଧାୟକ ମହମ୍ମଦ ମୋକିମଙ୍କ ପକ୍ଷରୁ ଡା.ପାତ୍ରଙ୍କୁ ଇତିମଧ୍ୟରେ ଓକିଲ ନୋଟିସ ପଠାଯାଇଥିବା ଜଣାପଡ଼ିଛି । ଏ ସମ୍ପର୍କରେ ସୂଚନା ଦେଇ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ କହିଛନ୍ତି ଯେ କଂଗ୍ରେସ ବିଧାୟକଙ୍କ ବିରୋଧରେ ଏଭଳି ଅରୁଚିକର ତଥା ଭିତ୍ତିହୀନ ମନ୍ତବ୍ୟ ପ୍ରଦାନ କରିବା ସହିତ କଂଗ୍ରେସର ପୂର୍ବତନ ସଭାପତି ସମ୍ମାନସ୍ପଦ ରାହୁଲ ଗାନ୍ଧୀଙ୍କୁ ଏହି ଘଟଣାରେ ଟାଣିବା ଡା. ସମ୍ୱିଦ ପାତ୍ରଙ୍କ ହୀନ ମାନସିକତାର ପରିଚାୟକ । ଡା. ପାତ୍ର କେବଳ ଶସ୍ତା ଲୋକପ୍ରିୟତା ହାସଲ କରିବା ପାଇଁ ଏଭଳି କରିଛନ୍ତି । ଏହା ଦ୍ୱାରା ତାଙ୍କର ପ୍ରତିଷ୍ଠରେ ମଧ୍ୟ ଯଥେଷ୍ଟ ହାନି ଘଟିଛି । ଡା. ପାତ୍ରଙ୍କ ଆଶାଳୀନ ଇଙ୍ଗିତ ରାଜ୍ୟର ଅସଂଖ୍ୟ କଂଗ୍ରେସ କର୍ମୀମାନଙ୍କ ମାନସିକ ଭାବନାକୁ ଶକ୍ତ ଆଘାତ ଦେଇଛି । ଏସବୁ ଦୃଷ୍ଟିରୁ ଡା.ସମ୍ୱିତ ପାତ୍ର ସର୍ବସାଧାରଣରେ ବିନା ସର୍ତ୍ତରେ କ୍ଷମା ମାଗନ୍ତୁ ବୋଲି ବିଧାୟକ ମହମ୍ମଦ ମୋକିମ ଦାବି କରିଛନ୍ତି । ଅନ୍ୟଥା ସେ ଅଦାଲତଙ୍କ ଦ୍ୱାରସ୍ଥ ହୋଇ ବିକଳ୍ପ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ କରିବେ ବୋଲି ଏହି ଓକିଲ ନୋଟିସରେ ଦର୍ଶାଇଛନ୍ତି ମହମ୍ମଦ ମୋକିମ ।