ପାକିସ୍ତାନରେ କ୍ଷୀର ଲିଟର ୧୨୦, ଚା' ପତି ୯୦୦

ପାକିସ୍ତାନରେ କ୍ଷୀର ଲିଟର ୧୨୦, ଚା' ପତି ୯୦୦

ଆତଙ୍କବାଦୀଙ୍କ ଏନ୍ତୁଡ଼ିଶାଳ ପାଲଟିଥିବା ପାକିସ୍ତାନର ଆର୍ଥିକ ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡିଛି। ଏଠାରେ ଲୋକେ କପେ ଚା’ କିଣିବାକୁ ଶହେଥର ଚିନ୍ତା କରୁଛନ୍ତି। ଏଠାରେ କ୍ଷୀର , ଚିନି ଆଉ ଚା’ ପତି ଦର ଆକାଶ ଛୁଆଁ ହୋଇଛି। କେବଳ ଚା' ଚିନି ନୁହେଁ ଅନ୍ୟ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀଦର ମଧ୍ୟ ଶୁଣିଲେ ହୋସ ଉଡିଯିବ। ଖାଦ୍ୟ ସାମଗ୍ରୀ ଦର ଦାମ ଏତେ ମାତ୍ରାରେ ବୃଦ୍ଧି ପାଇଛି ଯେ ଏଠାରେ ଲୋକେ ତ୍ରାହି ତ୍ରାହି ଡାକୁଛନ୍ତି । ଏଠାରେ କପେ ଚା’କୁ ୪୦ରୁ ୫୦ ଟଙ୍କାରେ ବିକ୍ରି ହେଉଛି । ଫଳରେ ସାଧାରଣ ଲୋକେ କପେ ଚା’ କିଣିବାକୁ ବି ଅସମର୍ଥ । ପାକିସ୍ତାନରେ କ୍ଷୀର ଲିଟରକୁ ୧୨୦ ଟଙ୍କା ହୋଇଥିବା ବେଳେ ଚା’ ପତି ୮୦୦ରୁ ୯୦୦ ଟଙ୍କାରେ ବିକ୍ରୀ ହେଉଛି । ଗ୍ୟାସ୍ ସିଲିଣ୍ଡର ୩୦୦୦ ଟଙ୍କାକୁ ବୃଦ୍ଧି ପାଇଛି । ଗତ ବର୍ଷ ମଧ୍ୟ କ୍ଷୀର ଲିଟର ଏଠାରେ ୧୨୦ ଟଙ୍କା ଉପରେ ରହିଥିଲା। ସୂଚନା ଅନୁସାରେ, ଚଳିତ ବର୍ଷ ଏପ୍ରିଲରେ ଭାରତ ପାକିସ୍ତାନକୁ ଚିନି ଓ ଗହମ ରପ୍ତାନୀ କରିବାକୁ ଚାହୁଁଥିଲେ ବି ପାକିସ୍ତାନ ଏହାକୁ ଅଗ୍ରାହ୍ୟ କରିଦେଇଥିଲା । ଯେପର୍ଯ୍ୟନ୍ତ କାଶ୍ମୀରରେ ୩୭୦ ଧାରା ପୁନର୍ବାର ଲାଗୁ ନହୋଇଛି ସେଯାଏଁ ଭାରତର କୌଣସି ସାହାଯ୍ୟ ଗ୍ରହଣ କରିବ ନାହିଁ ବୋଲି ପାକିସ୍ତାନ କହିଥିଲା । ଗତବର୍ଷ ମଧ୍ୟ ଏଠାରେ ଟମାଟୋ ଓ ଆଳୁ ୧୦୦ ରୁ ୪୦୦ ଟଙ୍କା ପର୍ଯ୍ୟନ୍ତ ବିକ୍ରୀ ହେଉଥିଲା।