ଆକ୍ସନ ମୁଡ଼ରେ ପଞ୍ଜାବର ନୂତନ ମୁଖ୍ୟମନ୍ତ୍ରୀ ଚରଣଜିତ; ଛାଡ଼ ହେବ ବିଜୁଳି-ପାଣି ବିଲ୍‌

ଆକ୍ସନ ମୁଡ଼ରେ ପଞ୍ଜାବର ନୂତନ ମୁଖ୍ୟମନ୍ତ୍ରୀ ଚରଣଜିତ; ଛାଡ଼ ହେବ ବିଜୁଳି-ପାଣି ବିଲ୍‌
hindustantimes

ଶପଥ ଗ୍ରହଣ ପରେ ସରପ୍ରାଇଜ ଘୋଷଣା କରିଛନ୍ତି ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନି । ପଞ୍ଜାବରେ ଗରିବ ଓ ଚାଷୀଙ୍କ ବିଜୁଳି, ପାଣି ବିଲ୍‌ ଛାଡ କରାଯିବ ବୋଲି କହିଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ । ସାମ୍ବାଦିକ ସମ୍ମିଳନୀରେ ଚନ୍ନି କହିଛନ୍ତି, ଜଣେ ସାଧାରଣ ଜନତାକୁ ପଞ୍ଜାବର ଭାର ଦେଇଛନ୍ତି କଂଗ୍ରେସ ହାଇକମାଣ୍ଡ । ଯାହା ଘରେ ଛାତ ନଥିଲା ତାକୁ ଆଜି ଦଳ ମୁଖ୍ୟମନ୍ତ୍ରୀ କରିଥିବା କହିଛନ୍ତି ଚନ୍ନି । ଏହି ସମୟରେ ଭାବପ୍ରବଣ ହୋଇପଡିଥିଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ । ପଞ୍ଜାବରେ ଗରିବ ଓ ଚାଷୀଙ୍କ ବିଜୁଳି, ପାଣି ବିଲ୍‌ ଛାଡ କରାଯିବ ବୋଲି କହିଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ।

ସେପଟେ କୃଷି ଆଇନକୁ ନେଇ ମଧ୍ୟ ବୟାନ ଦେଇଛନ୍ତି ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ । ୩ଟି କୃଷି ଆଇନ ପ୍ରତ୍ୟାହାର ପାଇଁ ସରକାରଙ୍କୁ ଅପିଲ କରିବେ ବୋଲି ସେ କହିଛନ୍ତି । ଯଦି ଏହି ଆଇନ ପ୍ରତ୍ୟାହାର ନହେବ, ତାହେଲେ ଚାଷୀ କୂଳ ବୁଡିଯିବ ଓ ପଞ୍ଜାବର ପ୍ରତ୍ୟେକ ପରିବାରରେ ଏହାର ପ୍ରଭାବ ପଡିବ ବୋଲି ପ୍ରତିକ୍ରିୟା ଦେଇଛନ୍ତି ଚରଣଜିତ ସିଂହ ।

ଚନ୍ନିଙ୍କ ଘୋଷଣା ଅନୁଯାୟୀ, ସମସ୍ତ ଗରିବ ଓ ଚାଷୀଙ୍କ ବିଜୁଳି ବିଲ୍‌ ଖୁବ ଶୀଘ୍ର ଛାଡ କରାଯିବ । କ୍ୟାବିନେଟ ବୈଠକରେ ନିଆଯିବ ଏହାର ନିଷ୍ପତ୍ତି । କଂଗ୍ରେସ ହାଇକମାଣ୍ଡ ଦେଇଥିବା ୧୮ଟି ବିଷୟ ଏହି କାର୍ଯ୍ୟକାଳରେ ହିଁ ସମ୍ପୂର୍ଣ୍ଣ ହେବ ବୋଲି ଜୋର ଦେଇ କହିଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ ।

ନିଜ କ୍ୟାବିନେଟ ସହ ସୋମବାର ଶପଥ ଗ୍ରହଣ କରିଛନ୍ତି ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନୀ । କ୍ୟାପ୍ଟେନ ଅମରିନ୍ଦର ସିଂହଙ୍କ ଇସ୍ତଫା ପରେ ଚରଣଜିତଙ୍କୁ ପଞ୍ଜାବର ନୂଆ ମୁଖିଆ କରିଛି କଂଗ୍ରେସ । ଦୀର୍ଘ ଘଣ୍ଟାର ମାନସମନ୍ଥନ ପରେ ରବିବାର ପଞ୍ଜାବ ମୁଖ୍ୟମନ୍ତ୍ରୀ ଭାବରେ ଚରଣଜିତ ସିଂହ ଚନ୍ନୀଙ୍କ ନାଁରେ ବାଜିଥିଲା କଂଗ୍ରେସ ହାଇକମାଣ୍ଡଙ୍କ ମୋହର ।