ମୟୂରଭଞ୍ଜରେ BSKY ସ୍ମାର୍ଟ କାର୍ଡ ବଣ୍ଟନ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ମୟୂରଭଞ୍ଜରେ BSKY ସ୍ମାର୍ଟ କାର୍ଡ ବଣ୍ଟନ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ମୟୂରଭଞ୍ଜରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ କାର୍ଡ଼ ବଣ୍ଟନ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଯାଇ ହିତାଧିକାରୀଙ୍କୁ BSKY ସ୍ମାର୍ଟ କାର୍ଡ ବାଣ୍ଟି ବା ସହ ମୁଖ୍ୟମନ୍ତ୍ରୀ ଡିଜିଟାଲ ମାଧ୍ୟମରେ ଜିଲ୍ଲାର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ମୟୂରଭଞ୍ଜ ହେଉଛି କଳାର ଭୂମି । ଏଠାକୁ ଆସି ମୁଁ ବହୁତ ଖୁସି । ଏ ପର୍ଯ୍ୟନ୍ତ ରାଜ୍ୟରେ ୧୦ଲକ୍ଷ ହିତାଧିକାରୀ ଏହି ସ୍ମାର୍ଟ କାର୍ଡ ପାଇସାରିଲେଣି । ୧୦ ହଜାର ୬୫୭ ହିତାଧିକାରୀ ସ୍ବାସ୍ଥ୍ୟସେବା ସୁବିଧା ପାଇଲେଣି । ପ୍ରତିଟି ଜୀବନ ମୂଲ୍ୟବାନ, ସମସ୍ତେ ସମ୍ମାନର ସହ ବଞ୍ଚନ୍ତୁ । ଲୋକେ ଚିକିତ୍ସା ପାଇଁ ଜମି ବିକିବା, ଋଣ କରିବାର ଖବର ମୋତେ ଦୁଃଖ ଦିଏ । ରାଜ୍ୟରେ BSKY ସ୍ମାର୍ଟ କାର୍ଡ ଗରିବ ଲୋକଙ୍କର ଦୁଃଖକୁ କମାଇବ ବୋଲି ନବୀନ କହିଛନ୍ତି ।

ମୁଖ୍ୟମନ୍ତ୍ରୀ ଆଜି ପୂର୍ବାହ୍ନରେ ହେଲିକାପ୍ଟର ଯୋଗେ ପ୍ରଥମେ ବାରିପଦା ଛଉ ପଡ଼ିଆ ଅସ୍ଥାୟୀ ହେଲିପ୍ୟାଡ଼ରେ ଓହ୍ଲାଇଥିଲେ । ସେଠାରୁ ସେ ସହିଦ ସ୍ମୃତି ଭବନରେ ପହଞ୍ଚିଥିଲେ । ସେଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ କାର୍ଡ଼ ବଣ୍ଟନର ଶୁଭାରମ୍ଭ କରିଥିଲେ। ଏବଂ ଡିଜିଟାଲ ମାଧ୍ୟମରେ ଜିଲ୍ଲାର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ ମଧ୍ୟ କରିଥିଲେ ।