ପାରାଅଲମ୍ପିକ୍ସର ସେମିରେ ଓଡ଼ିଆ ପୁଅ ପ୍ରମୋଦ

ପାରାଅଲମ୍ପିକ୍ସର ସେମିରେ ଓଡ଼ିଆ ପୁଅ ପ୍ରମୋଦ

ପାରାଅଲମ୍ପିକ୍ସ ବ୍ୟାଡମିଣ୍ଟନ ଇଭେଣ୍ଟର ସେମିଫାଇନାଲରେ ପହଞ୍ଚିଲେ ଓଡ଼ିଆ କ୍ରୀଡ଼ାବିତ ପ୍ରମୋଦ ଭଗତ । ପୁରୁଷ ଏକକ ବର୍ଗର SL ୩ କାଟାଗୋରୀରେ ସେ ସେମିଫାଇନାଲରେ ପହଞ୍ଚିଛନ୍ତି । ପଦକ ନିଶ୍ଚିତ କରିବାକୁ ହେଲେ ସେମିଫାଇନାଲ ମ୍ୟାଚରେ ପ୍ରୋମଦଙ୍କୁ ବିଜୟ ହାସଲ କରିବାକୁ ହେବ । 

କ୍ବାର୍ଟର ଫାଇନାଲ ମ୍ୟାଚରେ ୟୁକ୍ରେନର ଓଲେକସାଣ୍ଡରଙ୍କୁ ମାତ ଦେଇଛନ୍ତି ପ୍ରମୋଦ । ଦୁଇଟି ସିଧା ସେଟରେ ସେ ୟୁକ୍ରେନର ସଟଲରଙ୍କୁ ମାତ ଦେଇଛନ୍ତି । କ୍ବାର୍ଟର ଫାଇନାଲର ଏହି ମ୍ୟାଚ ୨୬ ମିନିଟ ଧରି ଚାଲିଥିଲା । ମ୍ୟାଚ ଆରମ୍ଭରୁ ଆକ୍ରାମକ ଖେଳ ଦେଖାଇଥିଲେ ପ୍ରମୋଦ ।

ପ୍ରଥମ ସେଟରେ ୨୧-୧୨ ପଏଣ୍ଟରେ ବିଜୟ ହାସଲ କରିଛନ୍ତି ପ୍ରମୋଦ । ଦ୍ବିତୀୟ ସେଟରେରେ ମଧ୍ୟ ଏକ ପାଖିଆ ଭାବରେ ୟୁକ୍ରେନର ସଟଲରଙ୍କୁ ୨୧-୯ରେ ପରାଜିତ କରିଛନ୍ତି ପ୍ରମୋଦ । ଯାହାଫଳରେ ସେ ସେମିଫାଇନାଲକୁ ଉନ୍ନିତ ହୋଇଛନ୍ତି । ସେମିଫାଇନାଲ ମ୍ୟାଚରେ ବିଜୟୀ ହେଲେ ଭାରତ ପାଇଁ ଆଉ ଏକ ପଦକ ନିଶ୍ଚିତ ହେବ । ବର୍ତ୍ତମାନ ସୁଦ୍ଧା ଟୋକିଓ ପାରାଅଲମ୍ପିକ୍ସରେ ଭାରତ ୧୦ ପଦକ ହାସଲ କରି ସାରିଛି । ଏଥିରେ ଦୁଇଟି ସ୍ବର୍ଣ୍ଣ ପଦକ ସାମିଲ ରହିଛି ।

ବୁଧବାର ପଲକ କୋହଲି ଓ ପ୍ରମୋଦ ଭଗତଙ୍କ ମିଶ୍ରିତ ଯୁଗଳ ଯୋଡ଼ି ପ୍ରଥମ ମ୍ୟାଚରେ ପରାଜିତ ହୋଇଥିଲା । ଫ୍ରାନ୍ସର ଯୋଡ଼ିଠାରୁ ଭାରତୀୟ ଖେଳାଳିମାନେ ୨-୧ରେ ପରାଜିତ ହୋଇଥିଲେ । ଏହାପରେ ଏକକ ବର୍ଗର SL ୩ କାଟାଗୋରୀର ପ୍ରଥମ ମ୍ୟାଚରେ ଭାରତର ହିଁ ସଟଲର ମନୋଜ ସରକାରଙ୍କୁ ମାତ ଦେଇ କ୍ବାର୍ଟର ଫାଇନାଲକୁ ପ୍ରବେଶ କରିଥିଲେ ।