ରାସ୍ତାରେ ଆତଙ୍କ ଖେଳାଇଲେ, ହାବିଲଦାରଙ୍କୁ ପିଟି ମୁହଁ ଫଟାଇଲେ : ଖାଲି ଫାଇନ୍ କାଟି ଛାଡି ଦେଲା ପୋଲିସ

ରାସ୍ତାରେ ଆତଙ୍କ ଖେଳାଇଲେ, ହାବିଲଦାରଙ୍କୁ ପିଟି ମୁହଁ ଫଟାଇଲେ : ଖାଲି ଫାଇନ୍ କାଟି ଛାଡି ଦେଲା ପୋଲିସ
ରାସ୍ତାରେ ଆତଙ୍କ ଖେଳାଇଲେ, ହାବିଲଦାରଙ୍କୁ ପିଟି ମୁହଁ ଫଟାଇଲେ : ଖାଲି ଫାଇନ୍ କାଟି ଛାଡି ଦେଲା ପୋଲିସ

ଭୁବନେଶ୍ୱର,୧୧/୧୨: ରାସ୍ତାରେ ଆତଙ୍କ ଖେଳାଅ । ପୁଲିସ୍‌କୁ ଗୋଡାଇ ଗୋଡାଇ ପିଟ… । ଥାନାରେ ଫାଇନ୍‌ ଦେଇ ଘରକୁ ଯାଅ । ଏବେ ଏହି ଢଙ୍ଗକୁ ବି ଆପଣେଇ ନେଇଛି କମିଶନରେଟ୍‌ ପୁଲିସ୍‌ ଭୁବନେଶ୍ୱର ୟୁପିଡି । କଥାଟି ଅଡୁଆ ଲାଗିଲେ ବି ସତ । ଏମିତି ଘଟଣା ଘଟିଛି ମଞ୍ଚେଶ୍ୱର ଥାନା ଅଞ୍ଚଳରେ । ଅସାମାଜିକମାନେ ପୁଲିସ୍‌କୁ ପିଟିଲେ । ପୁଲିସ୍‌ ତାଙ୍କୁ ଧରି ଥାନାକୁ ନେଲା । ହେଲେ କ’ଣ ହେଲା କେଜାଣି ସକାଳେ ଫାଇନ୍‌ ଦେଇ ସେମାନେ ମୁକୁଳି ଆସିଲେ ।

ଗୁରୁବାର ରାତି ପ୍ରାୟ ସାଢ଼େ ୧୨ଟା । ରସୁଲଗଡ଼ ଛକ ତାରିଣୀ ମନ୍ଦିର ସମ୍ମୁଖରେ ଜଣେ ଯୁବକଙ୍କୁ ୫ଜଣ ମିଶି ମାଡ଼ ମାରୁଥିଲେ । ଏହା ଦେଖି ବାଟରେ ଯାଉଥିବା ଜଣେ ବ୍ୟକ୍ତି ପୁଲିସ କଣ୍ଟ୍ରୋଲ୍‌ ରୁମ୍‌ (୧୧୨)କୁ ଫୋନ୍‌ କରିଦେଲେ । ସଙ୍ଗେ ସଙ୍ଗେ ପିସିଆର ସେଠାରେ ପହଞ୍ଚି ମାଡ଼ ଖାଉଥିବା ଯୁବକଙ୍କୁ ଉଦ୍ଧାର କରିଥିଲା । ୫ ଜଣ ଯୁବକଙ୍କ ମଧ୍ୟରୁ ୨ ଜଣ ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲେ । ହେଲେ ଯେଉଁ ୩ ଜଣ ରହିଥିଲେ ତାଙ୍କ ମଧ୍ୟରୁ ଜଣେ ପୁଲିସ୍‌ ସହ ଆରମ୍ଭ କରିଥିଲା ଯୁକ୍ତିତର୍କ । ପୁଲିସକୁ ହାକିମାତି ଦେଖାଇ ଧମକଚମକ ଦେଇଥିଲେ । ମାମଲାଟି କେବଳ ଏତିକିରେ ସୀମିତ ରହିଲାନି । ଯୁବକ ଜଣଙ୍କ ମାଡ଼ ମାରି ଜଣେ ହାବିଲଦାରଙ୍କ ମୁହଁ ଫଟାଇ ଦେଇଥିଲା । ପୁଲିସ୍‌ ସମସ୍ତଙ୍କୁ ଥାନାକୁ ନେଇଥିଲା । ଆଉ ଶୁକ୍ରବାର ସକାଳେ ସେମାନଙ୍କୁ ଫାଇନ୍‌ କାଟି ଛାଡି ଦେଇଥିଲା।

ତେବେ ଏନେଇ ମଞ୍ଚେଶ୍ୱର ଥାନା ଆଇଆଇସି ସୁଧୀର ସାହୁଙ୍କୁ ପଚାରିବାରୁ ସେ କହିଲେ, ୩ ଜଣ ସ୍ଥାନୀୟ ଅଞ୍ଚଳର ଯୁବକ ମଦ ପିଇଥିଲେ । ମାଡ଼ ନୁହେଁ ପୁଲିସ୍‌ ସହ ଠେଲାପେଲା ହୋଇଥିଲା । ଆମେ ତାଙ୍କୁ ଫାଇନ୍‌ କରି ଛାଡି ଦେଇଛୁ । ହେଲେ ଗତକାଲି ଡ୍ୟୁଟିରେ ଥିବା କର୍ମଚାରୀଙ୍କ ସହ ଯୋଗାଯୋଗ କରିବାରୁ ସେମାନେ କହିଲେ ବରିଷ୍ଠ ଅଧିକାରୀମାନେ ଯାହା କହିବେ ଆମେ ତାହା କରିବୁ । ତେବେ ଉକ୍ତ ଥାନରେ ଜଣେ ଏସ୍‌ଆଇ କହିଛନ୍ତି ୩ ଯୁବକଙ୍କ ମଧ୍ୟରୁ ଜଣେ ଅପରାଧୀ ଥିଲା । ତା’ ନାଁରେ ଅନେକ ମାମଲା ରହିଛି । ସେ ଏହି ଅଞ୍ଚଳରେ ଦାଦାବଟି ଆଦାୟ କରେ । ତେବେ ଏଥିରୁ ଜଣାପଡୁଛି ମଦ ପିଇ ରାସ୍ତାରେ ଆତଙ୍କ ଖେଳାଇ ପୁଲିସ୍‌କୁ ପିଟି ଉତ୍ପାତ କଲେ ବି କମିଶନରେଟ୍‌ ପୁଲିସ୍‌ରେ କାର୍ଯ୍ୟାନୁଷ୍ଠାନ ବ୍ୟବସ୍ଥା ନାହିଁ । ଏମିତି କାଣ୍ଡ ପାଇଁ କେବଳ ଫାଇନ୍‌ କରି ଛାଡ଼ିଦେଇ ହେବ ବୋଲି ମଞ୍ଚେଶ୍ୱର ଥାନା ଜଣାଇ ଦେଇଛି ।