ହାତ ଛାଡି ଶଙ୍ଖ ଫୁଙ୍କିବେ ପ୍ରଫୁଲ୍ଲ ମାଝୀ

ହାତ ଛାଡି ଶଙ୍ଖ ଫୁଙ୍କିବେ ପ୍ରଫୁଲ୍ଲ ମାଝୀ

ବିଜୁ ଜନତା ଦଳ (ବିଜେଡି)ରେ ସାମିଲ ହେବେ ଆଉ ଜଣେ ପୂର୍ବତନ କଂଗ୍ରେସ ବିଧାୟକ। ଆସନ୍ତା କିଛିଦିନ ମଧ୍ୟରେ ବିଜେଡିରେ ସାମିଲ ହେବାକୁ ଯାଉଛନ୍ତି ସୁନ୍ଦରଗଡ଼ ଜିଲ୍ଲା ତଳସରାର ୩ ଥରର ବିଧାୟକ ଡ. ପ୍ରଫୁଲ୍ଲ ମାଝୀ । ଏ ନେଇ ସ୍ପଷ୍ଟ ହେବା ପରେ ଆଜି ବିଶୃଙ୍ଖଳିତ ଆଚରଣ ଓ ଦଳ ବିରୋଧୀ କାର୍ଯ୍ୟ ପାଇଁ କଂଗ୍ରେସ ତାଙ୍କୁ ଦଳରୁ ବହିଷ୍କାର କରିଛି ।

ଆସନ୍ତା ୧୦ ତାରିଖରେ ପ୍ରଫୁଲ୍ଲ ଭୁବନେଶ୍ବରସ୍ଥିତ ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ସାମିଲ ହେବେ । ଏନେଇ ଗଣମାଧ୍ୟମରେ ସ୍ପଷ୍ଟ କରିଛନ୍ତି ପ୍ରଫୁଲ୍ଲ ମାଝୀ । ସୁନ୍ଦରଗଡ ଜିଲ୍ଲା ତଳସରାର ପୂର୍ବତନ କଂଗ୍ରେସ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଗଜାଧର ମାଝୀଙ୍କ ଝିଆରୀ ଜ୍ଵାଇଁ ହେଉଛନ୍ତି ପ୍ରଫୁଲ୍ଲ । ଗଜାଧରଙ୍କ ରାଜନୈତିକ ଉତ୍ତରାଧିକାରୀ ଭାବେ ରାଜନୀତିକୁ ଆସିଥିଲେ ପ୍ରଫୁଲ୍ଲ । ୨୦୦୬ ମସିହାରେ ଗଜାଧର ଙ୍କ ଦେହାନ୍ତ ପରେ ହୋଇଥିବା ଉପ-ନିର୍ବାଚନରେ କଂଗ୍ରେସରୁ ପ୍ରାର୍ଥୀ ହୋଇଥିଲେ ପ୍ରଫୁଲ୍ଲ । ଉପ ନିର୍ବାଚିତରେ ବିଜୟୀ ହୋଇ ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ ।

ପରେ ୨୦୦୯ ଓ ୨୦୧୪ ବିଧାନସଭା ନିର୍ବାଚନରେ ସେ ବିଜୟୀ ହୋଇଥିଲେ । ଲଗାତାର ୩ ଥର ବିଜୟୀ ହୋଇ ହ୍ୟାଟ୍ରିକ ମାରିଥିଲେ । କିନ୍ତୁ ୨୦୧୯ ନିର୍ବାଚନରେ ପରାଜିତ ହୋଇଥିଲେ ପ୍ରଫୁଲ୍ଲ । କିଛି ଦିନ ପୂର୍ବରୁ କଂଗ୍ରେସ ଶିବିର ଛାଡି ବିଜେଡିରେ ସାମିଲ ହୋଇଥିଲେ ନବରଙ୍ଗପୁରର ପୂର୍ବତନ ସାଂସଦ ପ୍ରଦୀପ ମାଝୀ । ପ୍ରଦୀପଙ୍କ ସହ ନିବିଡ ସମ୍ପର୍କ ଥିବାରୁ ପ୍ରଫୁଲ୍ଲ ମଧ୍ୟ ବିଜେଡିରେ ସାମିଲ ହେବା ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା । ପ୍ରଫୁଲ୍ଲଙ୍କୁ ବିଜେଡିରେ ସାମିଲ କରିବା ନେଇ ପ୍ରସ୍ତୁତ ହୋଇଥିବା ବ୍ଲୁ ପ୍ରିଣ୍ଟ ପ୍ରଦୀପ ପ୍ରସ୍ତୁତ କରିଥିବା ଚର୍ଚ୍ଚା ହେଉଛି ।