ମଙ୍ଗଳବାର କଥା ହେବେ ପୁଟିନ୍ ଓ ବାଇଡେନ୍, ୟୁକ୍ରେନ ହେବ ମୁଖ୍ୟ ପ୍ରସଙ୍ଗ

ମଙ୍ଗଳବାର କଥା ହେବେ ପୁଟିନ୍ ଓ ବାଇଡେନ୍, ୟୁକ୍ରେନ ହେବ ମୁଖ୍ୟ ପ୍ରସଙ୍ଗ
ମଙ୍ଗଳବାର କଥା ହେବେ ପୁଟିନ୍ ଓ ବାଇଡେନ୍, ୟୁକ୍ରେନ ହେବ ମୁଖ୍ୟ ପ୍ରସଙ୍ଗ

ନୂଆଦିଲ୍ଲୀ୦୫/୧୨ : ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଓ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ମଙ୍ଗଳବାର ସାମ୍ନାସାମ୍ନି ହେବେ । ଉଭୟ ରାଷ୍ଟ୍ରମୁଖ୍ୟ ଭିଡିଓ କଲ୍ ମାଧ୍ୟମରେ ଆଲୋଚନା କରିବେ । ନିକଟରେ ୟୁକ୍ରେନ ସୀମାରେ ଋଷ ଲଗାତର ଭାବେ ସୈନ୍ୟ ସଂଖ୍ୟା ବଢାଉଛି । ଫଳରେ ବିବାଦ ଓ ଶତ୍ରୁତା ବଢିବାରେ ଲାଗିଛି । ତେଣୁ ଉଭୟ ନେତାର ଆଲୋଚନା ଗୁରୁତ୍ୱପୂର୍ଣ୍ଣ ।

ହ୍ୱାଇଟ୍ ହାଉସ ବୟାନ ଜାରି କରି କହିଛି ଯେ, ଉଭୟ ନେତା ଦ୍ୱିପାକ୍ଷିକ ସମ୍ପର୍କରେ ସ୍ଥିରତା, ରାଜନୈତିକ ପ୍ରସଙ୍ଗ, ସାଇବର୍ ସିକ୍ୟୁରିଟି ଓ ଅନ୍ୟ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିବେ ।

ଆମେରିକୀୟ ବୈଦେଶିକ ମନ୍ତ୍ରୀ ଏକେ ଆଣ୍ଟୋନି କହିଛନ୍ତି ଯେ, ଋଷ କେତେବେଳେ ବି ୟୁକ୍ରେନ ଉପରେ ଆକ୍ରମଣ କରିପାରେ । ଯଦି ଏପରି ହୁଏ ତେବେ ଋଷର ଭଲ ହେବନି । ୨୦୧୪ରେ ଋଷ ୟୁକ୍ରେନର କ୍ରିମିୟା ଅଞ୍ଚଳକୁ କବଜା କରିନେଇଛି । ଏହାପରେ ୟୁରୋପୀୟ ଦେଶ ମସ୍କୋ ଉପରେ ପ୍ରତିବନ୍ଧକ ଲଗାଇଥିଲେ । ସେହି ସମୟରେ ଆମେରିକାର ରାଷ୍ଟ୍ରପତି ବାଇଡେନ୍ ଉପରାଷ୍ଟ୍ରପତି ଥିଲେ ।

ଏହାପୂର୍ବରୁ ହ୍ୱାଇଟ୍ ହାଉସ ପ୍ରବକ୍ତା ଜେନ୍ ସାକି କହିଥିଲେ ଯେ, ଋଷ ୟୁକ୍ରେନ ଉପରେ ଆକ୍ରମଣ କଲେ ଆମେରିକା ହସ୍ତକ୍ଷେପ କରିବ । ବାଇଡେନ୍ ମଧ୍ୟ ଋଷକୁ ୟୁକ୍ରେନ ପ୍ରସଙ୍ଗରେ ଚେତାବନୀ ଦେଇଛନ୍ତି ।

ସୂଚନାଯୋଗ୍ୟ, ୟୁକ୍ରେନ ଓ ଋଷ ମଧ୍ୟରେ ସୀମା ବିବାଦ ଲାଗି ରହିଛି । ଉଭୟ ପକ୍ଷ ମୁହାଁମୁହିଁ ସ୍ଥିତିରେ ଅଛନ୍ତି । କେତେବେଳେ ବି ଯୁଦ୍ଧ ହୋଇପାରେ । ତେବେ ୟୁକ୍ରେନକୁ ଆମେରିକା ଓ ନାଟୋ ସାମରିକ ଏବଂ ଆର୍ଥିକ ସହଯୋଗ କରିବା କାରଣରୁ ଉଭୟ ପକ୍ଷ ମଧ୍ୟରେ ତିକ୍ତତା ବଢିବାରେ ଲାଗିଛି ।