ରହସ୍ୟମୟ ଭାନଗଡ ଦୁର୍ଗ, ଯେଉଁଠି ଘୁରିବୁଲେ ରତ୍ନାବତୀର ଆତ୍ମା

ରହସ୍ୟମୟ ଭାନଗଡ ଦୁର୍ଗ, ଯେଉଁଠି ଘୁରିବୁଲେ ରତ୍ନାବତୀର ଆତ୍ମା
ରହସ୍ୟମୟ ଭାନଗଡ ଦୁର୍ଗ, ଯେଉଁଠି ଘୁରିବୁଲେ ରତ୍ନାବତୀର ଆତ୍ମା

 ଭାରତର ଇତିହାସ ବହୁ ପୁରୁଣା ହୋଇଥିବାରୁ ଏଠାରେ ଭୂତ ପ୍ରେତକୁ ନେଇ ଅନେକ କଥା ଶୁଣାଯାଏ। ଭାରତରେ ଏପରି ଅନେକ ସ୍ଥାନ ଅଛି ଯେଉଁଠାରେ ଲୋକମାନେ ଭୟର ଅନୁଭବ କରିଥାନ୍ତି, ସିଧା ଭାଷାରେ କହିବାକୁ ଗଲେ ଭାରତରେ ଅନେକଗୁଡ଼ିଏ ଭୟାନକ ସ୍ଥାନ ରହିଛି। ଆମେ ଆପଣଙ୍କୁ ଆଜି ସେମିତି ଏକ ଭୟାନକ ସ୍ଥାନ ବିଷୟରେ କହୁଛୁ। ଏଠାକୁ ସନ୍ଧ୍ୟା ହେଲେ କେହି ଯିବାକୁ ସାହସ କରନ୍ତି ନାହିଁ। ସେହି ସ୍ଥାନଟି ହେଉଛି ରାଜସ୍ଥାନର ପ୍ରାଚୀନ ଭାନଗଡ ଦୁର୍ଗ। ଏହି ଦୁର୍ଗଟିର ନିର୍ମାଣ ଶୈଳୀ କାରୁକାର୍ଯ୍ୟ ଯେତିକି ସୁନ୍ଦର, ତା ଅତୀତ ସେତିକି ରହସ୍ୟମୟ।
ଦୁର୍ଗରେ ଅନେକ ମନ୍ଦିର ରହିଛି। ଯେଉଁଥିରେ ପ୍ରଭୁ ସୋମେଶ୍ୱର, ଗୋପୀନାଥ, ମଙ୍ଗଳା ଦେବୀ ଆଦି ପୂଜା ପାଆନ୍ତି। କିନ୍ତୁ ଏଠି ସାନ୍ଧ୍ୟ ହେଲେ ମଣିଷ ତ ମଣିଷ ପଶୁ ପକ୍ଷୀବି ରୁହନ୍ତି ନାହିଁ ବୋଲି କୁହାଯାଏ। ଏଠାରେ ଅନେକ ଅଭୁତ ଘଟଣା ମାନ ଘଟିଥାଏ। କୁହାଯାଏ ସନ୍ଧ୍ୟା ପରେ ଯିଏ ଏଠାକୁ ଯାଏ ସେ ଆଉ କେବେ ଫେରେ ନାହିଁ। ଭାନଗଡ ଦୁର୍ଗର କାହାଣୀ ଅତ୍ୟନ୍ତ ରହସ୍ୟମୟ ଏବଂ କୌତୁହଳପୂର୍ଣ୍ଣ । ଏହି ଦୁର୍ଗ ୧୫୭୩ ମସିହାରେ ଆମେରର ରାଜା ଭଗବନ୍ତ ଦାସଙ୍କ ଦ୍ୱାରା ନିର୍ମିତ ହୋଇଥିଲା ବୋଲି କୁହାଯାଏ। ପ୍ରାୟ ୩୦୦ ବର୍ଷ ପର୍ଯ୍ୟନ୍ତ ଏଠି ତାଙ୍କ ଆବାସ ରହିଥିଲା। ଏହାପରେ ଷୋଡଶ ଶତାବ୍ଦୀରେ, ରାଜା ସାୱାଇ ମାନ ସିଂଙ୍କ ସାନଭାଇ ରାଜା ମାଧୋ ସିଂ ଏହି ଦୁର୍ଗକୁ ତାଙ୍କ ବାସଭବନ କରିଥିଲେ। କିନ୍ତୁ ସ୍ଥାନଟି ଗୋଟିଏ ଅଭିଶାପ କାରଣରୁ ଭାଇଙ୍କର ସ୍ଥାନ ପାଲଟିଛି।  ଐତିହାସିକମାନେ କୁହନ୍ତି ଯେ ଭାନଗଡର ରାଜକୁମାରୀ ରତ୍ନାବତୀ ବହୁତ ସୁନ୍ଦର ଥିଲେ। ସେତେବେଳେ ରାଜକୁମାରୀ ସୌନ୍ଦର୍ଯ୍ୟର ଚର୍ଚ୍ଚା ସମଗ୍ର ମହାଦେଶର ହେଉଥିଲା।ରତ୍ନାବତୀଙ୍କୁ ବିବାହ କରିବା ପାଇଁ ଅନେକ ରାଜା, ଯୋଦ୍ଧା ପାଗଳ ଥିଲେ ବୋଲି କୁହାଯାଏ। ତେବେ ରାଜକୁମାରୀ ରତ୍ନାବତୀ ଥରେ ଦୁର୍ଗରୁ ବାହାରି ନିଜ ସଖୀଙ୍କ ସହିତ ବଜାରକୁ ଯାଇଥିଲେ। ସେଠାରେ ଏକ ଅତର ବା ସୁଗନ୍ଧିତ ଦ୍ରବ୍ୟ ଦୋକାନରେ ପହଞ୍ଚି ଅତରର ସୁଗନ୍ଧ ପରୀକ୍ଷା କରୁଥିଲା। ସେହି ସମୟରେ ସିନ୍ଧୁ ସେବାଡା ନାମକ ଜଣେ ବ୍ୟକ୍ତି ସେହି ଦୋକାନଠାରୁ କିଛି ଦୂରରେ ଠିଆ ହୋଇ ରାଜକୁମାରୀଙ୍କୁ ଦେଖୁଥିଲେ। ସିନ୍ଧୁ ସେବାଡା ସେହି ରାଜ୍ୟର ବାସିନ୍ଦା ଥିବା ବେଳେ କଳା ଯାଦୁରେ ନିପୁଣ ଗୋଟିଏ ଦୁର୍ଦ୍ଦାନ୍ତ ତାନ୍ତ୍ରିକ ଥିଲା। ତେବେ ସେ ରାଜକୁମାରୀଙ୍କ ରୂପରେ ଏଭଳି ବିମୋହିତ ହୋଇଥିଲା ଯେ ରାଜକୁମାରୀଙ୍କୁ କଳେବଳେ, କୌଶଳେ ପାଇବାକୁ ନିଷ୍ପତି ନେଇ ଯାଇଥିଲା। କିନ୍ତୁ ରତ୍ନାବତୀ ତାଙ୍କ ଆଡକୁ ଚାହିଁ ନଥିଲେ। ଏହାପରେ ସେ କ୍ରୋଧରେ ସେହି ଅତର ଦୋକାନକୁ ଯିବା ସହ ରାଜକୁମାରୀଙ୍କ ପାଇଁ ପଠା ଯାଉଥିବା ସୁଗନ୍ଧିତ ଦ୍ରବ୍ୟ ବୋତଲରେ କଳାଯାଦୁ କରି ବଶିକରଣ ମନ୍ତ୍ର ପଠାଇଥିଲା। ଯେତେବେଳେ ରାଜକୁମାରୀ ସତକଥା ଜାଣିଥିଲେ ସେ ସେହି ଅତର ବୋତଲଟିକୁ ବାହାରକୁ ଫିଙ୍ଗି ଦେଇଥିଲେ ଯାହାକି ନିକଟରେ ଥିବା ଏକ ପଥରେ ମାଡ଼ ହୋଇ ସେଥିରେ ଥିବା ଅତର ଚାରି ଆଡ଼େ ଢାଳି ଯାଇଥିଲା।
କଳା ଯାଦୁ ଯୋଗୁଁ ପଥରଟି ସିନ୍ଧୁ ସେବାଡାକୁ ଅନୁସରଣ କରିବା ସହ ତାକୁ ଚାପି ମାରି ଦେଇଥିଲା। କିନ୍ତୁ ମୃତ୍ୟୁ ପୂର୍ବରୁ ତାନ୍ତ୍ରିକ ସିନ୍ଧୁ ସେବାଡା ଅଭିଶାପ ଦେଇଥିଲେ ଯେ ଏହି ଦୁର୍ଗରେ ବାସ କରୁଥିବା ସମସ୍ତ ଲୋକ ଶୀଘ୍ର ମରିବେ ଏବଂ ପୁନର୍ବାର ଜନ୍ମ ହେବେ ନାହିଁ। ତାଙ୍କ ଆତ୍ମା ​​କେବଳ ଏହି ଦୁର୍ଗରେ ଘୁରିବୁଲିବ। ଏବେ ମଧ୍ୟ ଏକବିଂଶ ଶତାବ୍ଦୀରେ ଲୋକଙ୍କ ମଧ୍ୟରେ ସେହି ବିଶ୍ବାସ ଓ ଭୟ ରହିଛି। ଲୋକମାନେ ବିଶ୍ବାସ କରନ୍ତି ଯେ ଭାନଗଡ ଦୁର୍ଗର ଭୂତମାନେ ବାସ କରନ୍ତି। ସୂର୍ଯ୍ୟାସ୍ତ ପରେ ଏହି ଦୁର୍ଗକୁ ପ୍ରବେଶ ନିଷେଧ। ଦୁର୍ଗଟି ଭାରତ ସରକାରଙ୍କ ତତ୍ତ୍ଵାବଧାନରେ ରହିଥିବା ବେଳେ arcology Survey of India (ASI) ଦଳ ଦୁର୍ଗର ଚାରିପାଖରେ ରୁହନ୍ତି । ଯିଏ ସୂର୍ଯ୍ୟାସ୍ତ ପରେ ଏହି ଦୁର୍ଗକୁ ଯାଏ ବା ରହିଥାଏ, ସେ ଆଉ କେବେ ଫେରି ଆସେ ନାହିଁ ବୋଲି କୁହାଯାଏ। ଅନେକ ଥର ଲୋକମାନେ ଏଠାରେ ଆତ୍ମା ​​ଦ୍ୱାରା ଅସୁବିଧାରେ ପଡ଼ିଛନ୍ତି ଏବଂ କିଛି ଲୋକ ପ୍ରାଣ ହରାଇଛନ୍ତି ବୋଲି କୁହାଯାଏ। ତେବେ ଅନେକ ଅଧ୍ୟୟନ ପାରେ ମଧ୍ୟ ଭାନଗଡ ଦୁର୍ଗକୁ ନେଇ ରହିଥିବା ଭୟ ଓ ରହସ୍ୟ ଉପରୁ ପରଦା ଉଠି ପାରିନି।