ରେଳ ଷ୍ଟେସନରେ ତୁମୁଳ କାଣ୍ଡ : ଆରପିଏଫ୍‌ ଯବାନଙ୍କ ମାଡ଼ରେ ଯୁବକଙ୍କ ମୃତ୍ୟୁ ଅଭିଯୋଗ

ରେଳ ଷ୍ଟେସନରେ ତୁମୁଳ କାଣ୍ଡ : ଆରପିଏଫ୍‌ ଯବାନଙ୍କ ମାଡ଼ରେ ଯୁବକଙ୍କ ମୃତ୍ୟୁ ଅଭିଯୋଗ
ରେଳ ଷ୍ଟେସନରେ ତୁମୁଳ କାଣ୍ଡ : ଆରପିଏଫ୍‌ ଯବାନଙ୍କ ମାଡ଼ରେ ଯୁବକଙ୍କ ମୃତ୍ୟୁ ଅଭିଯୋଗ

ବଡ଼ବିଲ ୧୩।୧୦:  କେନ୍ଦୁଝର ଜିଲ୍ଲା, ଯୋଡ଼ା, ବାଂଶପାଣି ରେଳ ଷ୍ଟେସନରେ ତୁମୁଳ କାଣ୍ଡ । ଆରପିଏଫ ଯବାନଙ୍କ ମାଡରେ ସ୍ଥାନୀୟ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ନେଇ ଅଭିଯୋଗ ଆସିବା ପରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା । ଯୋଡ଼ା ପୋଲିସ୍ ଘଟଣାର ଛାନଭିନ୍ ଆରମ୍ଭ କରିଛି । ପରିସ୍ଥିତି ଉତ୍ତେଜନାପୂର୍ଣ ରହିଛି ।.

 

ଖବର ଅନୁଯାୟୀ, ଗତ ରାତି ପ୍ରାୟ ସାଢ଼େ ୮ଟାରେ ଲକ୍ଷ୍ମଣ ପାତ୍ର ନାମକ ଜଣେ ସ୍ଥାନୀୟ ଯୁବକ ୨ ନମ୍ବର ରେଳ ସାଇଡିଂକୁ ଯାଇଥିଲେ । ତେବେ ସେଠାରେ ଆର୍ ପିଏଫ୍ ଯବାନମାନେ ତାଙ୍କୁ ଚୋର ସନ୍ଦେହରେ ନିସ୍ତୁକ ମାଡ଼ ମାରିବାରୁ ତାଙ୍କର ମୃତ୍ୟୁ ଘଟିଥିବା ସ୍ଥାନୀୟ ଲୋକେ ଅଭିଯୋଗ ଆଣିଛନ୍ତି । ଏହି ଖବର ପ୍ରଚାର ହେବାପରେ ସ୍ଥାନୀୟ ଲୋକେ ତାତିଥିଲେ । କୋଇଲା ହଟିଂ, ଭଞ୍ଜହଟିଂ ଓ ରାଧା ହଟିଂ ର ଶତାଧିକ ମହିଳା ପୁରୁଷ ସଂଘବଦ୍ଧ ଭାବରେ ଷ୍ଟେସନରେ ପଶି ବିଭିନ୍ନ ରେକର୍ଡ ପତ୍ର, ଆସବାବପତ୍ର ନଷ୍ଟ କରିବା ସହ ବ୍ୟାପକ ଭଙ୍ଗାରୁଜା କରିଥିଲେ । ଏଥିସହ ଆରପିଏଫ ବାରାକରେ ପଶି ଯବାନ ମାନଙ୍କୁ ଅତର୍କୀତ ଆକ୍ରମଣ କରିଥିଲେ । ଉତ୍ୟକ୍ତ ଲୋକଙ୍କ ମାଡ଼ରେ ୩ଜଣ ଆରପିଏଫ ଯବାନ ଓ ଜଣେ ଏସ୍ ଆଇ ଗୁରୁତର ଆହତ ହୋଇଥିଲେ ।

 

ଘଟଣାସଂପର୍କରେ ଖବର ପାଇ ଯୋଡ଼ା ପୋଲିସ୍ ଆହତ ମାନଙ୍କୁ ଉଦ୍ଧାର କରି ଯୋଡ଼ା, ଟାଟା ଷ୍ଟିଲ ମେଡିକାଲରେ ଭର୍ତ୍ତି କରିଥିଲା । ତେବେ ଜଣେ ଆରପିଏଫ ଯବାନଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ଏନେଇ ରେଳବାଇ କିମ୍ବା ସ୍ଥାନୀୟ ଲୋକଙ୍କ ପ୍ରତିକ୍ରିୟା ଏଯାଏଁ ହସ୍ତଗତ ହୋଇନାହିଁ । ଯୋଡ଼ା ପୋଲିସ୍ ଘଟଣାର ଛାନଭିନ୍ ଆରମ୍ଭ କରିଛି । ପରିସ୍ଥିତି ଏବେବି ଉତ୍ତେଜନାପୂର୍ଣ ରହିଛି ।