ଋଷୀୟ କମ୍ପାନୀଗୁଡ଼ିକ ସହିତ SBI ସମସ୍ତ ନେଣଦେଣ କାର୍ଯ୍ୟ କଲା ବନ୍ଦ

ଋଷୀୟ କମ୍ପାନୀଗୁଡ଼ିକ ସହିତ SBI ସମସ୍ତ ନେଣଦେଣ କାର୍ଯ୍ୟ କଲା ବନ୍ଦ

ୟୁକ୍ରେନ୍ ଓ ଋଷ ମଧ୍ୟରେ ଯୁଦ୍ଧ ଲାଗି ରହିଥିବା ବେଳେ ପଶ୍ଚିମ ଦେଶଗୁଡ଼ିକ ଋଷର ଅନେକ କମ୍ପାନୀ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଏହାରି ଭିତରେ ଭାରତର ସବୁଠାରୁ ବଡ଼ ବ୍ୟାଙ୍କ ଷ୍ଟେଟ୍‌ବ୍ୟାଙ୍କ ଅଫ୍ ଇଣ୍ଡିଆ(SBI) ମଧ୍ୟ ଋଷ ଉପରେ ପ୍ରତିବନ୍ଧକ ଲଗାଇଛି। ପଶ୍ଚିମଦେଶଗୁଡ଼ିକ ପ୍ରତିବନ୍ଧକ ଲଗାଇଥିବା ଋଷୀୟ କମ୍ପାନୀଗୁଡ଼ିକ ସହିତ SBI ସମସ୍ତ ନେଣଦେଣ କାର୍ଯ୍ୟ ବନ୍ଦ କରିଛି।

ତେବେ ବ୍ୟାନ୍‌ ଭୟରେ ଏସ୍‌ବିଆଇ ବାଧ୍ୟ ହୋଇ ଏପରି ନିଷ୍ପତ୍ତି ନେଇଛି ବୋଲି ବ୍ୟାଙ୍କ ପକ୍ଷରୁ ବିବୃତ୍ତି ଜାରି କରି ଏପରି ସୂଚନା ଦିଆଯାଇଛି।

ବିବୃତ୍ତିରେ SBI କହିଛି ଯେ ଆମେରିକା, ୟୁରୋପୀୟନ ୟୁନିୟନ ଓ ଜାତିସଂଘ ପକ୍ଷରୁ ଯେଉଁ କମ୍ପାନୀ, ବ୍ୟାଙ୍କ ଓ ବନ୍ଦରଗୁଡ଼ିକ ଉପରେ ପ୍ରତିବନ୍ଧକ ଲଗାଯାଇଛି ସେହି ସଂସ୍ଥାଗୁଡ଼ିକ ସହିତ କୌଣସି ପ୍ରକାର ନେଣଦେଣ କରାଯିବ ନାହିଁ। କେବଳ ସେତିକି ନୁହେଁ, ଏହି ସଂସ୍ଥାଗୁଡ଼ିକ ନିଜର ବାକିଥିବା ଋଣ ପୈଠ କରିବା ପାଇଁ ବ୍ୟାକିଙ୍ଗ୍ ଚ୍ୟାନେଲ୍ ମାଧ୍ୟମ ବ୍ୟବହାର ନକରି ଅନ୍ୟ କୌଣସି ମାଧ୍ୟମରେ ଋଣ ପୈଠ କରିବେ ବୋଲି ବ୍ୟାଙ୍କ କହିଛି।

ଷ୍ଟେଟ୍ ବ୍ୟାଙ୍କ ମସ୍କୋରେ କମର୍ସିଆଲ୍ ଇଣ୍ଡୋ ବ୍ୟାଙ୍କ ନାମରେ ଏକ ଜଏଣ୍ଟ ଭ୍ୟାଞ୍ଚର ପରିଚାଳନା କରୁଛି। ଏଥିରେ କାନାଡ଼ା ବ୍ୟାଙ୍କର ବି ୪୦ ପ୍ରତିଶତ ଅସଂଧନ ରହିଛି। ତେବେ ଋଷ ଉପରେ କାହିଁକି ବ୍ୟାନ ଲଗାଇଲା ଏନେଇ ଏସ୍‌ବିଆଇ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ଦିଆଯାଇ ନଥିବା ବେଳେ କାଳେ ପଶ୍ଚିମ ଦେଶଗୁଡ଼ିକ ଏସ୍‌ବିଆଇକୁ ବୟକଟ୍ କରିବେ ସେ ହି ଭୟରେ ଋଷ ସହିତ ସମସ୍ତ ନେଣଦେଣ ବନ୍ଦ କରିଛି ବିଶେଷ ବୋଲି ସୂତ୍ରରୁ ସୂଚନା ମିଳିଛି।

ଋଷ-ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ ଲାଗି ରହିଥିବା ବେଳେ ଜାତିସଂଘରେ ନିରବ ରହୁଛି ଭାରତ। ମାନବାଧିକାର ଉଲ୍ଲଂଘନକୁ ଗ୍ରହଣ କରୁ ନଥିବା ବେଳେ ଋଷ ବିରୋଧରେ ଖୋଲାଖୋଲି ସାମ୍ନାକୁ ଆସୁ ନାହିଁ। କାରଣ ଋଷ ସବୁ ସମୟରେ ଜାତିସଂଘରେ ଭାରତର ସମର୍ଥ କରିଛି। ଏମିତି ଅତୀତରେ ଯୁଦ୍ଧ ସମୟରେ ବି ଋଷ ଭାରତକୁ ସମର୍ଥନ ଦେଇଛି।

ଏହା ବାଦ୍ ଋଷ ସହିତ ଭାରତର ସାମରିକ ବ୍ୟାବସାୟ ନମ୍ବର ୱାନ୍ ରହିଛି। ଏହିସବୁ ଦୃଷ୍ଟିରୁ ମସ୍କୋ ବିରୋଧରେ ଯାଇପାରୁନି ଦିଲ୍ଲୀ। ଭାରତକୁ ଯୁଦ୍ଧାସ୍ତ୍ର ରପ୍ତାନୀ କରିବାରେ ଋଷ ଟପ୍‌ରେ ରହିଛି। ଏହି ସମସ୍ତ ଚୁକ୍ତି ସରକାରୀ ସ୍ତରରେ ହେଉଛି। ଚଳିତ ଆର୍ଥିକ ବର୍ଷରେ ଭାରତ ଓ ଋଷ ମଧ୍ୟରେ ୯.୪ ଅରବ ଡଲାର ବ୍ୟବସାୟ ହୋଇଛି। ଏହା ପୂର୍ବରୁ ୨୦୨୦-୨୧ରେ ଏହି କାରବାର ୮.୧ ଅରବ ଡଲାର ଥିଲା।

ଯୁଦ୍ଧାସ୍ତ୍ର ବ୍ୟତୀତ ଭାରତ ଓ ଋଷ ଠାରୁ ଇନ୍ଧନ, ମିନେରଲ ଆୟଲ, ମୋତୀ, ମୂଲ୍ୟବାନ ପଥର, ପରମାଣୁ ରିୟକ୍ଟର, ବୟଲର ମେଶିନାରୀ ଓ ମେକାନିକାଲ ଅପ୍ଲିଆନ୍ସ (ସାମଗ୍ରୀ), ଇଲେକ୍ଟ୍ରିକାଲ ମେସିନାରୀ ଓ ସାର ଆଦିର ଆମଦାନୀ କରିଥାଏ। ସେହିପରି ଭାରତ ଋଷକୁ ଫାର୍ମ ପ୍ରଡକ୍ଟସ(ଔଷଧ ସାମଗ୍ରୀ), ଇଲେକ୍ଟ୍ର୍କିକ୍ ମେଶିନାରୀ ଓ ଅର୍ଗାନିକ କେମିକଲ୍ସ ରପ୍ତାନୀ କରିଥାଏ। ଏହା ପୂର୍ବରୁ ମଧ୍ୟ ଏସ୍‌ବିଆଇ ଅନ୍ୟ ଦେଶ ଉପରେ ପ୍ରତିବନ୍ଧକ ଲଗାଇବାର ନଜିର ରହିଛି। ଇରାନ ଉପରେ ପଶ୍ଚିମ ଦେଶଗୁଡ଼ିକ ବ୍ୟାନ୍ ଲଗାଇବା ପରେ ଏସ୍‌ବିଆଇ ମଧ୍ୟ ବ୍ୟାନ ଲଗାଇଥିଲା।

ସୂଚନା ଥାଉକି ୟୁକ୍ରେନ୍ ଓ ଋଷ ମଧ୍ୟରେ ଲାଗି ରହିଥିବା ଯୁଦ୍ଧକୁ ଆଜି ୮ ଦିନ ବିତିବାକୁ ବସିଲାଣି। ଋଷ ୟୁକ୍ରେନ୍‌ର ଗୋଟିଏ ପରେ ଗୋଟିଏ ସହର ଅକ୍ତିଆର କରିଥିଲେ ବି ଏପର୍ଯ୍ୟନ୍ତ ୟୁକ୍ରେନ୍‌କୁ ଦଖଲ କରିପାରି ନାହିଁ। ଏପଟେ ଋଷର ଏଭଳି ଆଚରଣ ଯୋଗୁ ୭ ଦେଶ ଋଷ ଉପରେ ବ୍ୟାନ ଲଗାଇ ଦେଇଛନ୍ତି।