ଶିବସେନା କର୍ମୀମାନେ ମୋ ଉପରେ ଆକ୍ରମଣ କଲେ, ମୋତେ ମାରିବାକୁ ଚାହୁଁଥିଲେ

ଶିବସେନା କର୍ମୀମାନେ ମୋ ଉପରେ ଆକ୍ରମଣ କଲେ, ମୋତେ ମାରିବାକୁ ଚାହୁଁଥିଲେ

ମୁମ୍ବାଇ: ମହାରାଷ୍ଟ୍ର ସରକାରଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରି ଗିରଫ ହୋଇଛନ୍ତି ଅମରାବତୀ ସାଂସଦ ନବନୀତ ରାଣା ଏବଂ ତାଙ୍କର ବିଧାୟକ ସ୍ୱାମୀ ରବୀ ରାଣା। ଶନିବାର ସେମାନଙ୍କୁ ଗିରଫ କରିଛି ମୁମ୍ବାଇ ପୁଲିସ୍। ଗିରଫ ନେତା ଦମ୍ପତିଙ୍କୁ ଭେଟିବାକୁ ଯାଇ ଶିବସେନାର ଆକ୍ରୋଶର ଶିକାର ହୋଇଛନ୍ତି ବିଜେପି ନେତା କିରିଟ ସୋମାୟା।

ଶନିବାର ରାତିରେ ସେମାନଙ୍କୁ ଭେଟିବାକୁ ଯାଇଥିଲା କିରିଟ ସୋମାୟା। ହେଲେ ଖର ପୁଲିସ ଷ୍ଟେସନ୍ ବାହାରେ ଶିବସେନା କର୍ମୀମାନେ ତାଙ୍କ ଗାଡ଼ି ଉପରେ ପଥର ମାଡ଼ କରିଥିବା ଅଭିଯୋଗ ହୋଇଛି। ଘଟଣା ପରେ ସେ ଥାନାରେ ଏତଲା ଦେବାକୁ ଯାଇଥିଲେ ହେଲେ ପୁଲିସ ତାଙ୍କ ଏଫ୍‌ଆଇଆର୍ ରଖିଲା ନାହିଁ ବୋଲି କିରିଟ ଅଭିଯୋଗ କରିଛନ୍ତି।  

ଏନେଇ ସେ କହିଛନ୍ତି “ମୁମ୍ବାଇ ପୁଲିସ ମୋ ଏଫ୍‌ଆଇଆର୍ ରଖିଲା ନାହିଁ। ବରଂ ଏକ ମିଛ ଏଫ୍‌ଆଇଆର୍ ଲେଖିଥିଲା। ଯେଉଁଥିରେ ମାତ୍ର ଗୋଟିଏ ପଥର ମରାଯାଇଛି ବୋଲି ଲେଖାଯାଇଛି।” ଏପଟେ ମୁମ୍ବାଇ ପୁଲିସ କହିଛି ଯେ ଘଟଣାରେ ମାମଲା ରୁଜୁ ହୋଇଛି। ତଦନ୍ତ ଜାରି ରହିଛି।  

ସିଦ୍ଧା ସଳଖ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ବିରୋଧରେ ଅଭିଯୋଗ ଲଗାଇ କିରିଟ କହିଛନ୍ତି ଯେ ଉଦ୍ଧବ ଠାକ୍‌ରେ ମୋତେ ମାରିବାକୁ ଚାହୁଁଥିଲେ। ଏହା ତାଙ୍କର ତୃତୀୟ ଆକ୍ରମଣ। ସେ କହିଛନ୍ତି “ମୋ ଜୀବନ ନେବାକୁ ଏହା ଉଦ୍ଧବ ଠାକ୍‌ରେଙ୍କର ତୃତୀୟ ଆକ୍ରମଣ। ପ୍ରଥମେ ୱାସୀମ, ଦ୍ୱିତୀୟରେ ପୁଣେ ଏବେ ଖର୍‌ରେ ମୋ ଉପରେ ଆକ୍ରମଣ ହୋଇଛି।”

ଘଟଣାରେ ବିଜେପି କର୍ମୀମାନେ ବାନ୍ଦ୍ରା ପୁଲିସ ଷ୍ଟେସନ୍ ପାଖରେ ଯାଇ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ବିରୋଧରେ ନାରା ଲଗାଇଛନ୍ତି। ଏପଟେ ଘଟଣାକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି କିରିଟ ସୋମାୟ। ସେ କିରିଟଙ୍କର ଭିଡିଓ ଟ୍ୱିଟ୍ କରି ଲେଖିଛନ୍ତି ଯେ ମୁମ୍ବାଇ ଓ ମହାରାଷ୍ଟ୍ରର ଆଇନଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ଭୁଶୁଡ଼ିଯାଇଛି।