ଜଳିଗଲେ ୪୬ ଲୋକ

ଜଳିଗଲେ ୪୬ ଲୋକ

ତାଇୱାନରେ ଭୟାବହ ଅଗ୍ନିକାଣ୍ଡ । ହୁତୁହୁତୁ ଜଳିଗଲା ୧୩ ମହଲା କୋଠା । ଦୁର୍ଘଟଣାରେ ୪୬ ଜଣ ଲୋଙ୍କ ମୃତ୍ୟୁ ହୋଇଥିବାବେଳେ ଅନେକ ଆହତ ହୋଇଛନ୍ତି । ଦକ୍ଷିଣ ତାଇୱାନରେ ଘଟିଛି ଏହି ଅଗ୍ନିକାଣ୍ଡ ।

ତାଇୱାନ ୟାନଚେଙ୍ଗ ଜିଲ୍ଲାର କାଉଶୁଙ୍ଗ ସହରରେ ଥିବା ଏକ ୧୩ ମହଲା କୋଠାରେ ନିଆଁ ଲାଗିଥିଲା । ଅଗ୍ନିକାଣ୍ଡର ଖବର ପାଇ ତୁରନ୍ତ ଘଟଣାସ୍ଥଳରେ ପହଁଞ୍ଚିଥିଲା ଅନେକ ଦମକଳ ଗାଡି । ୫୫ ଜଣଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ଏମାନଙ୍କ ମଧ୍ୟରୁ ୧୪ ଜଣଙ୍କର ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଯାଇଛି ।

ଅଗ୍ନିକାଣ୍ଡରେ ୧୩ ମହଲା କୋଠା ସମ୍ପୂର୍ଣ୍ଣ ଜଳିପୋଡି ଛାରଖାର ହୋଇଯାଇଛି । ସୂଚନା ଅନୁଯାୟୀ, ଏହି କୋଠାଟି ୪୦ ବର୍ଷ ପୁରୁଣା । ଏହାର ତଳ ମହଲାରେ ଦୋକାନ ଓ ଉପରେ ଆପାର୍ଟମେଣ୍ଟ ଥିଲା । ଏହା ଏକ ଆବାସିକ ବିଲ୍ଡିଂ ଥିଲା । ତେବେ ଅଗ୍ନିକାଣ୍ଡ ସମୟରେ ଆପାର୍ଟମେଣ୍ଟ ଭିତରେ ଅନେକ ବରିଷ୍ଠ ନାଗରିକ ଥିବା କଥା କୁହାଯାଉଛି ।