ଗର୍ଭବତୀ ଭଉଣୀର ମୁଣ୍ଡ କାଟି ‌ଲୋକଙ୍କୁ ଦେଖାଇଲା ଭାଇ

ଗର୍ଭବତୀ ଭଉଣୀର ମୁଣ୍ଡ କାଟି ‌ଲୋକଙ୍କୁ ଦେଖାଇଲା ଭାଇ

ଭାଇ କାଟିଲା ଗର୍ଭବତୀ ଭଉଣୀର ମୁଣ୍ଡ। ନିଜ ଇଚ୍ଛାରେ ବିବାହ କରିଥିବାରୁ ଗର୍ଭବତୀ ଭଉଣୀର ମୁଣ୍ଡ କାଟି ‌ଲୋକଙ୍କୁ ଦେଖାଇଲା ଭାଇ। ଘଟଣାଟି ଘଟିଛି ମହାରାଷ୍ଟ୍ରର ଔରଙ୍ଗାବାଦରେ। ନାବାଳକ ଅଭିଯୁକ୍ତଜଣକ ନିଜ ୧୯ବର୍ଷୀୟା ଭଉଣୀକୁ ଦା'ରେ ହାଣି ହତ୍ୟା କରିଥିବା ଜଣାପଡ଼ିଛି। ମୃତ ପୀଡ଼ିତାଙ୍କ ନାଁ କୀର୍ତ୍ତି ଥୋରେ ବୋଲି ଜଣାପଡ଼ିଛି।

ସୂଚନା ମୁତାବକ, ଚଳିତ ବର୍ଷ ଜୁନରେ କୀର୍ତ୍ତି ଘରୁ ପଳାଇଯାଇ ନିଜ ପ୍ରେମିକ ସହ ରହିବା ଆରମ୍ଭ କରିଥିଲେ। ଏହି ଘଟଣା ପରେ ଦୁଇ ପରିବାର ମଧ୍ୟରେ କୌଣସି ସମ୍ପର୍କ ନଥିବା ବେଳେ ଗତ ସପ୍ତାହରେ କୀର୍ତ୍ତିର ମା' ତାଙ୍କୁ ଫୋନ କରି ଦେଖା କରିବାକୁ ଚାହୁଁଥିବା କହିଥିଲେ। ମା'ଙ୍କ କୋହଭରା କଣ୍ଠଶୁଣି କୀର୍ତ୍ତି ନିଜ ମା'ଙ୍କୁ ଆସିବାକୁ କହିଥିଲେ। ହେଲେ ତାଙ୍କୁ ଜଣାନଥିଲା ଆସିବା ପଛର ଷଡ଼ଯନ୍ତ୍ର। ଘଟଣା ଦିନ କୀର୍ତ୍ତିଙ୍କ ମା' ନିଜ ପୁଅ ସହ କୀର୍ତ୍ତିଙ୍କ ଘରେ ପହଞ୍ଚିଥିଲେ। ଏହି ସମୟରେ କୀର୍ତ୍ତି ନିଜ ଶାଶୁଙ୍କ ସହ ବିଲରେ ଧାନ କାଟୁଥିଲେ। ମା' ଆସିବା ଦେଖି କୀର୍ତ୍ତି ଧାନ କଟା ଛାଡ଼ି ଘରକୁ ଆସିବା ସହ ଦୁହିଁଙ୍କୁ ଘରକୁ ଡାକିନେଇଥିଲେ। ପ୍ରଥମେ ଦୁହିଁଙ୍କୁ ପାଣି ପିଇବାକୁ ଦେଇ କୀର୍ତ୍ତି ରୋଷେଇ ଘରକୁ ଚା' ବନାଇବାକୁ ଚାଲିଯିବା ପରେ ତାଙ୍କ ଭାଇ ପଛପଟୁ ତାଙ୍କୁ ଆକ୍ରମଣ କରିଥିଲା। କୀର୍ତ୍ତି ତଳେ ପଡ଼ିଯିବା ପରେ ତାଙ୍କ ମା' କୀର୍ତ୍ତିଙ୍କ ଗୋଡ଼କୁ ଧରିବା ସହ ଭାଇ ଦା'ରେ ତାଙ୍କ ବେକ କାଟି ଦେଇଥିଲା। ଏହା ପରେ ଅଭିଯୁକ୍ତ ଭାଇ କଟା ବେକ ନେଇ କୀର୍ତ୍ତିଙ୍କ ପଡ଼ୋଶୀଙ୍କୁ ଦେଖାଇଥିଲେ।

କୀର୍ତ୍ତିଙ୍କୁ ହତ୍ୟା କରିବା ପରେ ଭିଣୋଇକୁ ମଧ୍ୟ ହତ୍ୟା କରିବାକୁ ଚାହିଁଥିଲା କୀର୍ତ୍ତିଙ୍କ ଭାଇ। ‌ହେଲେ କୀର୍ତ୍ତିଙ୍କ ସ୍ବାମୀ ଖସିଯିବାରେ ସଫଳ ହୋଇଥିଲେ। ଏହା ପରେ କଟା ମୁଣ୍ଡ ସହ କୀର୍ତ୍ତିଙ୍କ ଭାଇ ପୁଲିସ ଷ୍ଟେସନ ଯାଇ ଆତ୍ମସମର୍ପଣ କରିଥିବା ବୋଲି ଜଣାପଡ଼ିଛି।