ପାର୍ବଣ ଋତୁକୁ ନେଇ ସତର୍କ ରହିବାକୁ ରାଜ୍ୟମାନଙ୍କୁ ପରାମର୍ଶ ଦେଲା କେନ୍ଦ୍ର

ପାର୍ବଣ ଋତୁକୁ ନେଇ ସତର୍କ ରହିବାକୁ ରାଜ୍ୟମାନଙ୍କୁ ପରାମର୍ଶ ଦେଲା କେନ୍ଦ୍ର

ଦେଶରେ ପାର୍ବଣ ଋତୁ ଆସୁଥିବାରୁ କେନ୍ଦ୍ର ସରକାର ପକ୍ଷରୁ କରୋନା କଟକଣାକୁ ଆଉ ମାସେ ପର୍ଯ୍ୟନ୍ତ ବଢାଇଦେଇଛନ୍ତି । ଏହା ସହିତ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ଅନ୍ତର୍ଜାତୀୟ ବିମାନ ଚଳାଚଳ ଉପରେ ଲାଗୁ କଟକଣାକୁ ଅକ୍ଟୋବର ୩୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ।

ଆଜି କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଜାରି ଗାଇଡଲାଇନରେ କୁହାଯାଇଛି ଯେ ଆଗକୁ ବିଭିନ୍ନ ପର୍ବପର୍ବାଣୀ ଥିବାରୁ ଲୋକମାନେ କୋଭିଡ କଟକଣାକୁ ନ ମାନିବାର ସମ୍ଭାବନା ରହିଛି । ମେଳା ମଉଛବ ସମୟରେ ଅଧିକ ଜନଗହଳି ହେଲେ ତାହା ଦେଶରେ ପୁଣି କରୋନା ସଂକ୍ରମଣ ବଢାଇବାର ଆଶଙ୍କା ରହିଛି । ଏଣୁ ପାର୍ବଣ ସମୟରେ ଯେପରି ଅଧିକ ଜନଗହଳି ନହୁଏ, ଲୋକମାନେ କୋଭିଡ ନିୟମାବଳୀ ପାଳନ କରନ୍ତି ତାହା ନିଶ୍ଚିତ କରିବାକୁ ପଡ଼ିବ ।

ଅନ୍ୟପକ୍ଷରେ ଏହି ଗାଇଡଲାଇନରେ କୁହାଯାଇଛି ଯେ, ରାଜ୍ୟ ସରକାରମାନେ କରୋନା ପଜିଟିଭିଟି ହାର, ପ୍ରତି ଜିଲ୍ଲାରେ ଥିବା ହସପିଟାଲଗୁଡ଼ିକର ଶଯ୍ୟା ଓ ଆଇସିୟୁରେ କେତେକ ରୋଗୀ ରହୁଛନ୍ତି ଉପରେ ତୀକ୍ଷଣ ଦୃଷ୍ଟି ରଖନ୍ତୁ । କୌଣସି ସ୍ଥାନରେ ସଂକ୍ରମଣ ବଢିଲେ ପ୍ରଶାସନ ପକ୍ଷରୁ ଅବିଳମ୍ବେ କଣ୍ଟେନମେଣ୍ଟ ପଦକ୍ଷେପ ନିଆଯିବା ଉଚିତ । ଏହା ସହିତ ରାଜ୍ୟମାନେ କରୋନା ମୁକାବିଲା ପାଇଁ ପରୀକ୍ଷା, ତଦାରଖ, ଚିକିତ୍ସା, ଟୀକାକରଣ ଓ କୋଭିଡ ନିୟମାବଳୀ ପାଳନ ଉପରେ ଗୁରୁତ୍ବ ଦିଅନ୍ତୁ ବୋଲି କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ।