ୟୁକ୍ରେନରୁ ଓଡ଼ିଶା ଫେରିଲେ ୭୭ ଓଡ଼ିଆ ଛାତ୍ରଛାତ୍ରୀ, ବିମାନବନ୍ଦରରେ ସ୍ୱାଗତ କଲେ ମୁଖ୍ୟମନ୍ତ୍ରୀ

ୟୁକ୍ରେନରୁ ଓଡ଼ିଶା ଫେରିଲେ ୭୭ ଓଡ଼ିଆ ଛାତ୍ରଛାତ୍ରୀ, ବିମାନବନ୍ଦରରେ ସ୍ୱାଗତ କଲେ ମୁଖ୍ୟମନ୍ତ୍ରୀ
ୟୁକ୍ରେନରୁ ଓଡ଼ିଶା ଫେରିଲେ ୭୭ ଓଡ଼ିଆ ଛାତ୍ରଛାତ୍ରୀ, ବିମାନବନ୍ଦରରେ ସ୍ୱାଗତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୦୭/୦୩: ୟୁକ୍ରେନରୁ ଓଡ଼ିଶା ଫେରିଲେ ଆଉ ୭୭ ଓଡ଼ିଆ ଛାତ୍ରଛାତ୍ରୀ । ସେମାନଙ୍କୁ  ସ୍ବାଗତ ପାଇଁ ଆଜି  ଭୁବନେଶ୍ବର ଏୟାରପୋର୍ଟରେ ପହଞ୍ଚିଥିଲେ ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୟୁକ୍ରେନରୁ ଓଡ଼ିଆ ପିଲାଙ୍କୁ ଫେରାଇ ଆଣିବାକୁ ରାଜ୍ୟ ସରକାର ଯେଉଁ ଉଦ୍ୟମ କରିଛନ୍ତି ତାକୁ ଛାତ୍ରଛାତ୍ରୀଙ୍କ ସମେତ ସେମାନଙ୍କ ଅଭିଭାବକମାନେ ମଧ୍ୟ ପ୍ରଶଂସା କରିଛନ୍ତି ।

ୟୁକ୍ରେନ୍‌ରେ ଯୁଦ୍ଧ ଯୋଗୁଁ ଅଧାରୁ ପାଠପଢ଼ା ଛାଡ଼ି ସ୍ବଦେଶ ଫେରିବାକୁ ବାଧ୍ୟ ହୋଇଥିବା ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧାର ଭିତରକୁ ଠେଲି ହୋଇଯାଉଥିବା ବେଳେ ଏନେଇ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତୁରନ୍ତ ଏହି ପ୍ରସଙ୍ଗକୁ ଗୁରୁତର ସହ ନେଇ ନ୍ୟାସନାଲ ମେଡିକାଲ କାଉନସିଲ୍‌ ଏବଂ ମନ୍ତ୍ରାଳୟ ସହ ଆଲୋଚନା କରି ଛାତ୍ରଛାତ୍ରୀଙ୍କ ପାଠପଢ଼ା କିପରି ଭାରତରେ ହୋଇ ପାରିବ ସେନେଇ ବ୍ୟବସ୍ଥା କରିବାକୁ ପ୍ରଧାନମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି ନବୀନ । ସେହିଭଳି ଏ ବାବଦରେ କେନ୍ଦ୍ର ସରକାର ଯାହା ନିଷ୍ପତ୍ତି ନେବେ ସେଥିରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ସମର୍ଥନ କରିବେ ବୋଲି ମଧ୍ୟ କହିଛନ୍ତି ମୁଖ୍ୟମନ୍ତ୍ରୀ । ପିଲାଙ୍କ ଭବିଷ୍ୟତ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏଭିଳି ପଦକ୍ଷେପକୁ ୟୁକ୍ରେନ୍‌ ଫେରନ୍ତା ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିଭାବକମାନେ ଖୁସି ପ୍ରକାଶ କରିବା ସହ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ।

କେବଳ ଏତିକି ନୁହେଁ, ୟୁକ୍ରେନ୍‌ରୁ ଶତାଧିକ ଓଡ଼ିଆ ଛାତ୍ରଛାତ୍ରୀଙ୍କୁ ଫେରାଇ ଆଣିବା ଲାଗି ମଧ୍ୟ ଜୋର୍‌ଦାର୍‌ ଉଦ୍ୟମ କରିଛନ୍ତି ରାଜ୍ୟ ସରକାର । ନିକଟରେ ଖାର୍କିଭ୍‌ ଓ ପିସୋଚିନ୍‌ରେ ୩ ଦିନ ଧରି ଅଟକି  ରହିବା ସହ ଭୀଷଣ ସମସ୍ୟାର ସମ୍ମୁଖୀନ ହୋଇଥିବା ୬୫ ଛାତ୍ରଛାତ୍ରୀଙ୍କୁ ଦୁଇ ସ୍ବତନ୍ତ୍ର ବସ୍‌ ଯୋଗେ ନିରାପଦ ଭାବେ ପଶ୍ଚିମ ୟୁକ୍ରେନ ସୀମାକୁ ଆଣିବା ପାଇଁ ସଫଳ ହୋଇଥିଲେ ରାଜ୍ୟ ସରକାର । ୟୁକ୍ରେନରୁ  ଓଡ଼ିଆ ପିଲାମାନଙ୍କୁ ଫେରାଇ ଆଣିବାକୁ  ରାଜ୍ୟ ସରକାର ୟୁକ୍ରେନ ସୀମା ସଂଲଗ୍ନ ୪ଟି ଦେଶ ପାଇଁ ୪ଜଣ ସ୍ବତନ୍ତ୍ର ପ୍ରତିନିଧିଙ୍କୁ ସମନ୍ବୟ ରଖିବା ପାଇଁ ଦାୟିତ୍ବ ଦେଇଛନ୍ତି । ନୂଆଦିଲ୍ଲୀସ୍ଥିତ ରେସଡେଣ୍ଟ କମିଶନ ଅଫିସ ଉଦ୍ଧାର କାର୍ଯ୍ୟରେ ସମନ୍ବୟ ରକ୍ଷା କରୁଛନ୍ତି ।